ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ହେଉଛି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଏବେ ଦୈନିକ ଏଠାକୁ ଶତାଧୂକ ପର୍ଯ୍ୟଟକ ଯାତାୟାତ କରୁଛନ୍ତି। ତେବେ ଦାରିଙ୍ଗବାଡିଠାରୁ ସୋରଡ଼ା ମଧ୍ୟରେ ପ୍ରାୟ ୨୦ କି.ମି. ଜଙ୍ଗଲ ଓ ଘାଟି ରହିଛି । ଏହି ଘାଟି ରାସ୍ତାରେ ବାଲିଗୁଡା ଓ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଧରିବା ଆଳରେ ପର୍ଯ୍ୟଟକ ଓ ଯାତ୍ରୀମାନେ ଯାତାୟାତ ବେଳେ ଜଙ୍ଗଲରେ ଲୁଚି ରହିଥିବା ଅବକାରୀ ବିଭାଗର ଗାଡି ହଠାତ ରାସ୍ରା ଉପରକୁ ମାଡିଆସି ଗାଡିକୁ ଆଢୁଆରେ ରଖି ଦେଉଛନ୍ତି। ଫଳରେ ଯାତାୟାତ କରୁଥିବା ପର୍ଯ୍ୟଟକ ମାନେ ଭୟଭୀତ ହେଉଛନ୍ତି। ମଙ୍ଗଳବାର ଭୋର ସମୟରେ ରାଜପଥର ବାଇମାଲା ନିକଟରେ ଏପରି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ଏଭଳି ଯାଞ୍ଚ କରୁଥିବା ସ୍ଥାନଠାରୁ ମାତ୍ର ୧ ଶହ ମିଟର ଦୂରରେ ଯାଞ୍ଚ ପାଇଁ ବନ ବିଭାଗର ଏକ ଚେକ୍ ଗେଟ ରହିଛି l ଅବକାରୀ ବିଭାଗ କର୍ମଚାରୀ ରାସ୍ତା ଉପରେ ରାସ୍ତା ବନ୍ଦ କରି ରଖୁଥିବା ଗାଡି ବନ ବିଭାଗର ସହାୟତାରେ ଉକ୍ତ ଚେକ ଗେଟ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସନ୍ଦେହ କରୁଥିବା ଗାଡିମୋଟର ଯାଞ୍ଚ କରିପାରନ୍ତା। ତାହା ନ କରି ଯାତ୍ରୀ ଯାତାୟତ ସମୟରେ ନିଜ ସରକାରୀ ଗାଡିକୁ ହଠାତ ଯାତ୍ରୀଙ୍କ ଗାଡି ସାମନାକୁ ଆଣି ଅଟକାଇବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାରେ ପ୍ରସୂତି, ଗୁରୁତର ରୋଗୀ ବ୍ରହ୍ମପୁରକୁ ଯାତାୟାତ କରୁଥିବା ସମୟରେ ସେମାନେ ମଧ୍ୟ ଅବକାରୀ ବିଭାଗର ଏଭଳି କାର୍ଯ୍ୟର ଶିକାର ହୋଇ ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚୁଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ
ଅବକାରୀ ଓଆଇସି ପ୍ରକାଶ ଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ କହିଲେ, ଯଦି ସରକାରୀ ଗାଡି ରଖି ରାସ୍ତାରେ ଅଟକାଇବୁ ନାହିଁ ତେବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବ୍ୟବସାୟୀ ଆମକୁ ଗାଡି ସହ ଚାପିଦେଇ ପଳାଇବେ ବୋଲି କହିଛନ୍ତି। ଗଞ୍ଜେଇ ଧରପଗତ ଆଳରେ ସବୁ ଗାଡିକୁ ଅଟକାଇ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ହଇରାଣ କରିବା କେତେ ଦୂର ଯଥାର୍ଥ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗର ବାଲିଗୁଡା ଆଇଆଇସି ରାମଳୀ ପଟେଲଙ୍କୁ ପଚାରିବାରୁ ସେ କହିଲେ, ଏଭଳି ଗାଡି ଅଟକାଇବା କୌଣସି ଗାଇଡଲାଇନ ନାହିଁ l ବ୍ୟବସାୟୀଙ୍କୁ ଧରିବାକୁ ଆମେ ଏଭଳି ସରକାରୀ ଗାଡି ରାଜରାସ୍ତା ରେ ଆଡୁଆ ଭାବେ ରଖି ଅଟକାଉଛୁ। ମାତ୍ର ପର୍ଯ୍ୟଟକ କିମ୍ବା ଯାତ୍ରୀବାହି ଗାଡ଼ି ହୋଇଥିଲେ ସଙ୍ଗେସଙ୍ଗେ ଛାଡି ଦେଉଛୁ।