ଗୋପ ତା ୨୫/୦୪ : ଆଜି ପୂର୍ବାହ୍ନରେ ଗୋପ ଥାନା ଅଧିନ ଡଭାର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳିକା ଭଉଣୀଙ୍କ ସଲିଳ ସମାଧି ହୋଇଛି। ଯାହାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଵା ଵେଳେ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶଵ ଵ୍ୟଵଛେଦ ନିମନ୍ତେ ଚାରିଛକ ଡାକ୍ତରଖାନାକୁ ପଠାଯାଇଛି। ଅଭିଯୋଗ ମୁତାବକ ଡଭାର ଗ୍ରାମର ଶରତ ବରାଳଙ୍କ ଝିଅ ସ୍ମୃତିରେଖା ବରାଳ (୧୨)ଏବଂ ତାଙ୍କ ସାନ ଭାଇ ପାପୁନି ବରାଳ ଙ୍କ ଝିଅ ଶୁଭଶ୍ରୀ ବରାଳ (୯) ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ପରିବାର ଲୋକଙ୍କ ଅଜାଣତରେ ଗ୍ରାମ ନିକଟସ୍ଥ ନୂଆ ପାଳଘାଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଧରି ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବାରେ କେତକ ସ୍ଥାନୀୟ ଲୋକେ ପୋଖରୀ ଆଡକୁ ଦୁଇ ଭଉଣୀ ଯାଉଥିବାର କହିଥିଲେ। ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଦୀର୍ଘ ଅଧଘଣ୍ଟା ଧରି ପୋଖରୀ ଭିତରେ ଖୋଜା ଖୋଜି କରି ଉଭୟ ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କୁ ଗୋପ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ମୃତିରେଖା ୫ମ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ଶୁଭଶ୍ରୀ ୪ର୍ଥ ଶ୍ରେଣୀରେ ନିକଟସ୍ଥ ଡଭାର ସ୍କୁଲରେ ପାଠ ପଢୁଥିଲେ। ଦୁଇ ନାବାଳିକା ଭଉଣୀଙ୍କ ଏପରି ଅକାଳ ମୃତ୍ୟୁକୁ ପରିବାର ଲୋକେ ସହଜରେ ହଜମ କରିପାରୁନଥିବା ବେଳେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।