ବାରିପଦା : ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାସ୍ଥ ପୂର୍ଣ୍ଣଚନ୍ଦ୍ରପୁର ୱାର୍ଡ ନମ୍ବର ୧୫ ଠାରେ ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତରନô ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ୧୩୩ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ, ପୂର୍ଣ୍ଣଚନ୍ଦ୍ରପୁର ଠାରେ ଡଃ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ଏବଂ ସମସ୍ତ ମାନ୍ୟଗଣ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଅନୁଷ୍ଠିତ ଜୟନ୍ତୀ ସମାରୋହ ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମେଶ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତରନô ଡଃ ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିବାବେଳେ ତାଙ୍କ ଦର୍ଶନ ଓ ଶିକ୍ଷାକୁ ଆମେ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ୱେ ଦୃଢ ଇଚ୍ଛାଶକ୍ତି ଓ ସାମର୍ଥ୍ୟ ବଳରେ ଯେ କୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ପହଞ୍ଚି ପାରିବ, ଏହା ଆମ୍ବେଦକରଙ୍କ ଜୀବନୀ ଆମକୁ ଶିକ୍ଷା ଦେଇଛି ବୋଲି ସେ କହିଥିଲେ । ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ପ୍ରତିନିଧି ଜିଲ୍ଲାପାଳ ସୁଶ୍ରୀ ଶ୍ରଦ୍ଧା ସୁମନ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠି ଏହି ଜୟନ୍ତୀ ସଭାରେ ବିଶିଷ୍ଟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଏବଂ ଘଟଣାବହୁଳ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଦିବସରେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଗୃହରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଡଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ପରିଶେଷରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ ହୋଇଥିଲା ଟାଟା ସହିତ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଆୟୋଜିତ ରଚନାତ୍ମକ ଲେଖନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅବିନାଶ ପାଣି ଏହି କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।