Odisha news

ହନୁମାନ ମନ୍ଦିର ଭାଙ୍ଗିଥିବା ଅଭିଯୋଗରେ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆ ଗିରଫ୍

0

ତିହିଡି, ୧୨/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଫକିରପୁର ଚଢେଇଖିଆ ପଡିଆରେ ଥିବା ହନୁମାନ ମନ୍ଦିର ଭାଙ୍ଗିଥିବା ଅଭିଯୋଗରେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆକୁ ପୋଲିସ ଗିରଫ କରିଛି । ବାପି ଡାଙ୍ଗୁଆଙ୍କ ଏଭଳି କାର୍ଯ୍ୟ ବିରୋଧରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ବସିଥିଲେ ଯାହାକୁ ନେଇ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା । ସୂଚନା ମୁତାବକ, ହନୁମାନ ଜୟନ୍ତୀ ପାଳନ ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏନେଇ ମନ୍ଦିରର ଚୂଳି ମାରିବା ଲାଗି ରାଜମିସ୍ତ୍ରୀ ଇଟା ମଧ୍ୟ ଯୋଡି ସାରିଛି । ମାତ୍ର ବାପି ଡାଙ୍ଗୁଆ ସେଠାକୁ ଯାଇ ସିଡି ମାଧ୍ୟମରେ ମନ୍ଦିର ଉପରକୁ ଚଢି ସର୍ବ ସମ୍ମୁଖରେ ଯୋଡେଇ ଇଟାକୁ ଭାଙ୍ଗିବା ସହିତ ଗୋଡରେ ତଳକୁ ଖସେଇ ଦେଇଥିଲା । ଏଥିସହ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ହୋହାଲ୍ଲା ମଧ୍ୟ କରିଥିଲା । ମନ୍ଦିର ଭଙ୍ଗାଗଲା ଆଉ ଯଦି ନିର୍ମାଣ କରିବ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ସଂଧ୍ୟାରେ ଥାନାରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଉଗ୍ରରୂପ ନେଇଥିଲା ଏବଂ ରାତି ପ୍ରାୟ ୧୦ ଘଟିକା ସମୟରେ ଶତାଧିକ ଗ୍ରାମବାସୀ ପୀରହାଟ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । କେବଳ ସେତିକି ନୁହେଁ ଟାୟାର ଜାଳି ଅଭିଯୁକ୍ତ ବିରୋଧରେ ନାରାବାଜି କରିବା ସହିତ ପୋଲିସର କାର୍ଯ୍ୟକୁ ବିରୋଧ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ଲୋକେ ଧାରଣାରେ ସାମିଲ ହୋଇଥିଲେ । ଅଭିଯୁକ୍ତକୁ ଗିରଫ୍ ନକରିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ଓ ଯାହା କ୍ଷତି ହେବ ସେଥିପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ମଧ୍ୟରାତ୍ରରେ ଆଇଆଇସି ଅଜୟ ମୁର୍ମୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ମନ୍ଦିର କମିଟିର ସଭାପତି ପଞ୍ଚାନନ ନାୟକଙ୍କ ଏତଲା କ୍ରମେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆଙ୍କ ବିରୋଧରେ ଦଫା ୨୯୪, ୪୨୭ ଓ ୫୦୬ ମୂଳେ ଏକ ମାମଲା ୮୭/୨୪ ରୁଜୁ କରିବା ସହିତ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ୍ କରାଯିବ ବୋଲି ପ୍ରତଶ୍ରୁତି ଦେବା ପରେ ରାତ୍ର ପ୍ରାୟ ୨ ଘଟିକା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟାଶୀଳ ହେବା ସହିତ ଶୁକ୍ରବାର ସକାଳ ପ୍ରାୟ ୯ ଘଟିକା ମଧ୍ୟରେ ଅଭିଯୁକ୍ତ ସୁଧାଂଶୁ ଓରଫ୍ ବାପି ଡାଙ୍ଗୁଆକୁ ଗିରଫ୍ କରିଛି ।

Ad2
Leave A Reply