ପୁରୀ, ୧୨.୪.୨୦୨୪ : ଓଡ଼ିଶାର ସ୍ୱାଭିମାନ ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଗତ ୧୦ ତାରିଖରୁ ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଉଠ ଓଡ଼ିଶା ସଂକଳ୍ପ ଯାତ୍ରା ଆଜି ତୃତୀୟ ଦିନରେ ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁରରେ ପହଞ୍ଚିଛି।
ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସହ ଘରୋଇକରଣ, ସରକାରୀ ଡାକ୍ତରଖାନାରେ ଡାକ୍ତର ଓ ଶଯ୍ୟାର ଅଭାବ, ଯାହା ସାଧାରଣ ଲୋକଙ୍କୁ ଘରୋଇ ଡାକ୍ତରଖାନା ଯିବା ପାଇଁ ବାଧ୍ୟ କରୁଛି । ସ୍ୱାସ୍ଥ୍ୟର ବିକାଶ ନାମରେ ବୀମା କମ୍ପାନୀକୁ ସରକାର ପୋଷୁଛନ୍ତି। ଗାଁ ଗାଁ‘ରେ ମଦର ବନ୍ୟା ବୋହୁଥିବା ବେଳେ ଯୁବ ସମାଜ ଏବେ ନିଶା କବଳରେ। ଓଡ଼ିଆ ଭାଷା ଆଜି ଓଡ଼ିଶାରେ ସାବତ ପୁଅ ପରି ବ୍ୟବହାର ପାଉଛି। ଓଡ଼ିଶାର ଚାଷୀ ଋଣଭାରରେ ବୁଡ଼ି ଆତ୍ମହତ୍ୟା କରୁଛି। ଓଡ଼ିଶାର ଯୁବଶକ୍ତି ବେକାର ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛି। ଓଡ଼ିଶାର ବିକାଶ ନାମରେ କେବଳ ଏକ ପ୍ରହେଳିକା ଦେଖାଯାଉଛି। ଏପରି ପରିସ୍ଥିତିରେ ଓଡ଼ିଶାର ସାଧାରଣ ଜନତା, ଯୁବକ, ଚାଷୀ ଓ ବୁଦ୍ଧିଜୀବୀମାନେ ଏକ ନୂତନ ଓ ସମ୍ପନ୍ନ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବା ଉଚିତ୍ ବୋଲି ’ଉଠ ଓଡ଼ିଶା’ ଆହ୍ବାନ ଦେଇଛି।
ଆଉ ବାର ବର୍ଷ ପରେ ଓଡ଼ିଶାକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ସମୃଦ୍ଧ ଓ ସମ୍ପନ୍ନ ଓଡ଼ିଶା ଗଢ଼ିବା ପାଇଁ ଶୁଦ୍ଧ ଓଡ଼ିଆ ପ୍ରାଣ ମାନଙ୍କୁ ଉଠେଇବା ପାଇଁ ଜାରି ରହିଥିବା ଏହି ପଦଯାତ୍ରା ଏପ୍ରିଲ ୧୪ ତାରିଖରେ ଭୁବନେଶ୍ଵର ଠାରେ ଏକ ଜନସଭା ସହିତ ଶେଷ ହେବ। ଦ୍ୱିତୀୟଦିନ ସକାଳୁ ଏହି ପଦଯାତ୍ରା ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋରୁ ବାହାରି ସାତଶଙ୍ଖ, ବୀର ପୁରୁଷୋତ୍ତମପୁର ଆଦି ଦେଇ ରାସ୍ତାରେ ପଥପ୍ରାନ୍ତ ସଭାକରି ଦାଣ୍ଡ ମୁକୁନ୍ଦପୁରରେ ପହଞ୍ଚିଥିଲା। ଆସନ୍ତା କାଲି ଏହି ଯାତ୍ରା ଗୁଡିଆ ପୋଖରୀ ଦେଇ ଧଉଳି ଠାରେ ପହଞ୍ଚିବ।
ଏହି ଯାତ୍ରାକୁ ଉଠ ଓଡିଆ ପକ୍ଷରୁ ଜ୍ଞାନ ରଞ୍ଜନ ଦାସ, ଦୁର୍ଗାଚରଣ ଦାସ, ବିଚିତ୍ର ବିଶ୍ଵାଳ, ପବିତ୍ର ଭାଈ, ଅଜୟ ପ୍ରଧାନ, ଜ୍ଞାନରଞ୍ଜନ ମହାପାତ୍ର, ପବିତ୍ର ରାଉତରୟ,ରମାକାନ୍ତ ଜେନା, ଗଞ୍ଜାମରୁ ବେଣୁ ଭାଈ, ନଗେଶ ଜେନା, ପିତାମ୍ବର ଭାଈ, ଭରତ ସ୍ୱାଇଁ, ବନ୍ଦିତା, ରଶ୍ମିତା ଓ ଜଗନ୍ ଆଦି ଯାତ୍ରାର ନେତୃତ୍ବ ନେଇଛନ୍ତି ।
