ବାରିପଦା : ଶିମିଳିପାଳ ଅଭୟାରଣ୍ୟକୁ ଅବାଧରେ ଶିକାର ପାଇଁ ପଶିଥିବା ଦୁଇ ଶିକାରୀଙ୍କୁ ଗିରଫ କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ସହ ଶିକାର ସଂରଜାମକୁ ମଧ୍ୟ ଜବତ୍ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ପିଠାବଟା ରେଞ୍ଜର କେନ୍ଦୁଆ ଗ୍ରାମରେ ଏହି ପରି ଘଟଣା ଘଟିଛି । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଉପନିଦେ୍ର୍ଦଶକ ସମ୍ରାଟ ଗୌଡା । ଶିମିଳିପାଳ ଅଭୟାରଣ୍ୟକୁ ଲାଗିକରି ଥିବା ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନତା କରାଯାଇଥିବାବେଳେ ଗ୍ରାମବାସୀ ମଧ୍ୟ ସଚେତନ ହୋଇ ପ୍ରଥମଥର ପାଇଁ ଏହି ପରି ଶିକାରୀଙ୍କୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଯାହା କି ଶିମିଳିପାଳକୁ ସୁରକ୍ଷା ପାଇଁ ଏକ ଶୁଭ ସଂକେତ, ଲୋକଙ୍କୁ ଯେଉଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ଏହା ତା’ର ଶୁଭ ସଂକେତ ବୋଲି ଉପନିଦେ୍ର୍ଦଶକ ସମ୍ରାଟ ଗୌଡା କହିଛନ୍ତି । ଆଗକୁ ପଣା ସଂକ୍ରାନ୍ତି ଥିବାବେଳେ ପୂର୍ବରୁ ଅଖଣ୍ଡ ଶିକାର ନାମରେ ଶହ ଶହ ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ମନଇଛା ଶିକାରୀ କରି ଥାଆନ୍ତି । ସଂକ୍ରାନ୍ତି ପୂର୍ବରୁ ଶିକାରୀ ମୁକ୍ତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ଶିକାରୀଙ୍କୁ ସହସ ଦେଖାଇ ବିଭାଗକୁ ଖବର ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ସମ୍ରାଟ ଗୌଡା । ଶିମିଳିପାଳକୁ ଶିକାରୀ ମୁକ୍ତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ସହ ଏସଟିଏଫ, ପୋଲିସ ମୃତୟନ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଗତ ଦୁଇବର୍ଷ ମଧ୍ୟରେ ଉଭୟ ପୋଲିସ ଓ ବନ ବିଭାଗ ଛଅ ଶହରୁ ଉର୍ଦ୍ଧ୍ୱ ଦେଶୀ ବନ୍ଧୁକ ଜବତ କରିଥିବା ସହ ୪୮ଜଣଙ୍କୁ ଗିରଫ କରାଯାଇଛି ।