Odisha news

ଦ୍ୱାରଶୁଣି ଘାଟିରେ ଜଳିଗଲା ପିଆଜ ବୋଝେଇ ଟ୍ରକ

0

ବାରିପଦା  : ଦୁଆରଶୁଣି ଘାଟିରେ ପୁଣି ସଡ଼କ ଦୁର୍ଘଟଣା ଘଟି ହୁତୁହୁତୁ ହୋଇ ପିଆଜ ଟ୍ରକ ଜଳି ଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ଏକ ଟ୍ରକ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିବାରୁ ଦୁର୍ଘଟଣା ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ବାଙ୍ଗିରିପୋଷି ଓ ବିଶୋଇ ଅଗ୍ନିଶମ ବିଭାଗର ଚାରି ଗୋଟି ଦମକଳ ପ୍ରକ୍ରିୟା ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ସୋମବାର ପୂର୍ବାହ୍ନ ସମୟରେ ଉକ୍ତ ଦୁର୍ଘଟଣା ଘଟିଛି । ଏକ ପିଆଜ ବୋଝେଇ ଟ୍ରକଟି ମହାରାଷ୍ଟ୍ର ରାଜ୍ୟର ନାସିକ ଅଞ୍ଚଳରୁ କଲିକତା ଅଭିମୁଖେ ଯାଉଥିଲା । ଏହି ସମୟରେ ଘାଟି ରାସ୍ତାର ବାଙ୍କ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଉକ୍ତ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ନିଆଁ ଲାଗିଯାଇଛି । ତେବେ ଟ୍ରକର ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଦମକଳ ଦଳ ନିଆଁକୁ ଆୟତ୍ତ କରିଥିବାବେଳେ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply