କୋଣାର୍କ – କୋଣାର୍କ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କାଉଟସ୍ ଓ ଗାଇଡସର ୪ଦିନିଆ କୋଷ୍ଟାଲ ଟ୍ରେକିଙ୍ଗ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଓ ଗାଇଡସର ଆନୁକୁଲ୍ୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ କୋଣାର୍କ ଠାରୁ ପୁରୀ ବେଳାଭୂମି ପର୍ଯ୍ୟନ୍ତ କୋଷ୍ଟାଲ ଟ୍ରେକିଙ୍ଗ ସହିତ ବେଳାଭୂମି ସଫେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଉଦଘାଟନୀ ସମାରୋହରେ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ ଘୋଷ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ, ସ୍କାଉଟ ଓ ଗାଇଡସର ରାଜ୍ୟ ସଂପାଦକ ଶରତ ଚନ୍ଦ୍ର ପାଇକରାୟ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର, ଯୁଗ୍ମ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକ, ଆଡଭୋକେଟ କମିଟି ଅଧ୍ୟକ୍ଷ ସ୍ବାଧୀନ ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ବିଶ୍ବାଳ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣ କାରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦଘାଟନୀ ସମାରୋହରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ରୋଭର, ରେଞ୍ଜର, ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଯୋଗଦାନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ଯୁଗ୍ମ ନିର୍ଦ୍ଦେଶକ ତଥା ରାଜ୍ୟ ସ୍କାଉଟ ଓ ଗାଇଡର ମୁଖ୍ୟ କମିଶନର ଡଃ ବିଶ୍ବଜିତ ଘୋଷ ଯୋଗ ଦେଇ କୋଷ୍ଟାଲ ଟ୍ରେକିଙ୍ଗର ଉର୍ଦେଶ ଓ ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ସ୍କାଉଟ ଓ ଗାଇଡର ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।