ବଡ଼ମ୍ବା ୨୫/୦୨- ବଡ଼ମ୍ବା ନିଜିଗଡ଼ ବିଜ୍ଞାପିତ ଅଞ୍ଚଳ ଘୋଷଣା ହେବା ପରେ ବଡ଼ମ୍ବାର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ରବିବାର ନିଜିଗଡ଼ ବୈକୁଣ୍ଠ ସ୍ମୃତି ସଦନ ପରିସରରେ ବଡ଼ମ୍ବା ଜନସାଧାରଣଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯଇଥିଲା ଯେଉଁ ଥିରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ | ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ୩୪ ଗୋଟି ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ବଡ଼ମ୍ବା ଅନ୍ୟତମ ହୋଇଥିବାରୁ ବଡ଼ମ୍ବା ନାଗରିକ ମଞ୍ଚ, ସାହିତ୍ୟ ଅନୁଷ୍ଠାନ, ନାଟ୍ୟ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ,ବ୍ଳକ ବିଜେଡି କର୍ମକର୍ତ୍ତା ଓ ସମବାୟ ସଂସ୍ଥା ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ବଡ଼ମ୍ବାର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ହେବାପାଇଁ ସମସ୍ତ ବ୍ୟବସ୍ଥା ତୁରନ୍ତ କରାଯିବା ସହ ବଡ଼ମ୍ବା ବହୁପ୍ରତୀକ୍ଷିତ ବସଷ୍ଟାଣ୍ଡ ପାଇଁ ମଧ୍ୟ ୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ମିଶ୍ର | ଏହା ସହ ବିଭିନ୍ନ ସମୟରେ ବଡ଼ମ୍ବା ବିଜ୍ଞାପିତ ଅଞ୍ଚଳ ହେବା ପାଇଁ ଆନ୍ଦୋଳନ କରିଥିବା ସମସ୍ତ ଜନସାଧାରଣ ଓ ଅନୁଷ୍ଠାନକୁ ଏହାର ଶ୍ରେୟ ମଧ୍ୟ ପ୍ରଦାନ କରିଛନ୍ତି ବିଧାୟକ | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ମିଶ୍ରଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ବିଜେଡି ବ୍ଲକ ସଭାପତି ରବୀନ୍ଦ୍ର କୁମାର ସାହୁ, ସରୋଜ କୁମାର ପଟ୍ଟନାୟକ, ମୁରଲୀଧର ମହାପାତ୍ର,ରବୀନ୍ଦ୍ର କିଶୋର ରଣା, ଆଇନଜୀବି ଗିରିଜା ପ୍ରସାଦ ମିଶ୍ର ଓ ସଦାନନ୍ଦ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ |
