Odisha news

ଧାମନଗର ନିର୍ବାଚନମଣ୍ଡଳୀ : ବଢୁଛି ଆଶାୟୀଙ୍କ ଲମ୍ବା ତାଲିକା

0

ତିହିଡ଼ି, ୨୩/୦୨(ଯଦୁମଣି ପାଣିଗ୍ରାହୀ): ଆଉ ଅଳ୍ପ କିଛିଦିନ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ସମର ସଜ୍ଜା ଆରମ୍ଭ ହୋଇ ଯାଇଛି । ରାଜନୈତିକ ଦଳ ମାନଙ୍କର ଆଶାୟୀମାନେ ଟିକେଟ ପାଇବା ପାଇଁ ନିଜ ନିଜର ଲବି ଆରମ୍ଭ କରି ଦେଇଛନ୍ତି । ରାଜ୍ୟରେ ସରକାରରେ ଥିବା ବିଜୁ ଜନତା ଦଳ ପୁଣି ୨୦୨୪ରେ ପୁନର୍ବାର କ୍ଷମତା ଦଖଲ କରିବ ବୋଲି ଆଶା ରଖି ଆଶାୟୀଙ୍କ ତାଲିକା ବଢୁୁଛି । ଧାମନଗର ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଆସନ ହୋଇଥିବାରୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଅନୁସୂଚିତ ଜାତି ପ୍ରାର୍ଥୀମାନେ ଟିକେଟ ଲବିରେ ରହିଛନ୍ତି । ଏହି ସଂରକ୍ଷିତ ଆସନରେ ପ୍ରତିଦ୍ୱନ୍ଦିତା କରିବାକୁ ଟିକେଟ ଆଶାୟୀଙ୍କ ତାଲିକା ବଢିବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳୀ ପାଇଁ ଗତ ଉପନିର୍ବାଚନରେ ଡାକ୍ତର ସଂଜୟ ଦାସ ପ୍ରାର୍ଥୀ ହେବା ଶୁଣା ଯାଉଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଆଗାମୀ ସାଧାରଣ ନିର୍ବାଚନରେ କିନ୍ତୁ ଡାକ୍ତର ସଂଜୟ ଦାସ ପ୍ରାର୍ଥୀ ପାଇଁ ଆଶାୟୀ ହୋଇଛନ୍ତି । ସେ ଚାକିରୀରୁ ଇସ୍ତଫା ଦେଇ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟମେଳା କରି ସାଧାରଣ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛନ୍ତି । ଏଥି ସହିତ ସେ ମଧ୍ୟ ଲୋକମାନଙ୍କ ସହିତ ରହି ବିଭିନ୍ନ ସମାଜସେବା କାର୍ଯ୍ୟ କରୁଛନ୍ତି । ଏବେ ଡାକ୍ତର ଦାସଙ୍କୁ ଦଳ ଆମ ଓଡ଼ିଶା ନବୀନ ଓଡ଼ିଶାରେ ଜିଲା ସଂଯୋଜକ ଦାୟିତ୍ୱ ଦେଇଛି । ସେହିପରି ତିହିଡ଼ି ଅଞ୍ଚଳର ଯୁବ ସମାଜସେବୀ ପ୍ରିୟବ୍ରତ ସେଠୀ ବିଜେଡିରୁ ଟିକେଟ ପାଇବା ନେଇ ଆଶାବାଦୀ ଅଛନ୍ତି । ଜଣେ ସାଧାରଣ ଗରିବ ପରିବାରରୁ ଆସିଥିବା ତଥା ସଙ୍ଗଠନ ପ୍ରିୟ ପ୍ରିୟବ୍ରତ ୧୯୯୫ ମସିହାରେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ସହୀଦନଗର କଲେଜରେ ପାଠ ପଢ଼ିବା ବେଳେ ଧାମନଗରବାସୀଙ୍କ ସହିତ ତାଙ୍କର ସୁସମ୍ପର୍କ ରହିଛି । ସେ ମଧ୍ୟ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କର ସେବା କରୁଥିବା ବେଳେ ଭାଟପଡ଼ା ପଞ୍ଚାୟତର ସମିତିସଭ୍ୟ ଭାବେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ । ସେ ଏମବିଏ ପାଠ ପଢ଼ି ମଧ୍ୟ ଜନସେବାକୁ ଗୁରୁତ୍ୱ ଦେଇ ଲୋକମାନଙ୍କର ବିଭିନ୍ନ ସେବା କରିଆସୁଥିବାରୁ ସେ ଦଳୀୟ ପ୍ରାର୍ଥୀ ହେଲେ ଭୋଟରମାନେ ତାଙ୍କୁ ସମର୍ଥନ କରିବେ ବୋଲି ଆଲୋଚନା ହେଉଛି । ନିର୍ବାଚନ ମଣ୍ଡଳୀ ପାଇଁ ସତ୍ୟପ୍ରକାଶ ସେଠୀ ମଧ୍ୟ ନୂଆ ମୁହଁ ଭାବରେ ବିଜେଡିରୁ ଟିକେଟ ନେବା ପାଇଁ ଆଶାୟୀ ହୋଇଛନ୍ତି । ସେ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ସୁଯୋଗ୍ୟ ସନ୍ତାନ ଅଟନ୍ତି । ଏବେ ଜିଲାରେ ସମବାୟ ବିଭାଗର ଏଆରସିଏସ ଚାକିରୀରେ ରହିଛନ୍ତି । ଅନ୍ୟପକ୍ଷରେ ସେ ଜଣେ ସାହିତି୍ୟକ ଓ ସୁବକ୍ତା ଭାବରେ ସମସ୍ତଙ୍କ ନିକଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିପରି ନାରୀନେତ୍ରୀ ଦେବକୀ ଦାସ ମଧ୍ୟ ବିଜେଡିରୁ ଟିକେଟ ପାଇଁ ଆଶାୟୀ ହୋଇ ଲବି ଆରମ୍ଭ କରିଛନ୍ତି । ଶ୍ରୀମତୀ ଦାସ ୧୯୯୨ ମସିହାରେ ସମିତିସଭ୍ୟ ଓ ୧୯୯୭ ମସିହାରେ ତିହିଡ଼ି ବ୍ଲକ ଉପାଧ୍ୟକ୍ଷା, ୨୦୦୭ରେ ଜିଲ୍ଲା ପରିଷଦ ସଭ୍ୟା ଭାବେ ରହି ଜନାସାଧାରଣଙ୍କର ସେବା କରିଥିଲେ । ସେ ମଧ୍ୟ ରାଜ୍ୟ ସମାଜମଙ୍ଗଳ ବୋର୍ଡ଼ ସଦସ୍ୟା ଓ ଜନତା ଦଳର ଜିଲା ମହିଳା ସଭାନେତ୍ରୀ ଭାବେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ବର୍ତ୍ତମାନ ସେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ସହଭାଗିତା ରହିଛି । ତେବେ ବିଜେଡି କାହାକୁ ଟିକେଟ ଦେଇ ଧାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବ ତାହା ସମୟ କହିବ ।

Leave A Reply