ତିହିଡି, ୧୯/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ପକ୍ଷରୁ ଛାତ୍ରଛାତ୍ରୀ ଓ ପୋଲିସ୍ କ୍ୟାଡେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଲାଗି ପୋଲିସ ପକ୍ଷରୁ ଏପରି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ଦୋଳସାହି ରାମନାରାୟଣ ହାଇସ୍କୁଲର ୮ମ ଓ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ତିହିଡି ଥାନା ପରିକ୍ରମା କରିଥିଲେ । ଏହି ଅବସରରେ ସେମାନେ ଆଇଆଇସିଙ୍କ କାମ ସମ୍ପର୍କରେ ଅବଗତ ହେବା ସହିତ ଏତଲା ଗ୍ରହଣ, ଡିସିଓ, ହାଜତ୍, ତଦନ୍ତକାରୀ ଅଧିକାରୀ, କମ୍ପୁ୍ୟଟର ଏଣ୍ଟ୍ରି, ଅପରାଧ, କେଉଁ ଅପରାଧ ପାଇଁ କେଉଁ ଦଣ୍ଡ ବିଧାନ ଆଦି ପ୍ରସଙ୍ଗରେ ଅବଗତ ହୋଇଥିଲେ । ଗାଁ ଗଣ୍ଡାରେ ଅଥବା ନିଜ ପରିବାରରେ ହେଉଥିବା ଛୋଟବଡ ଅପରାଧକୁ ରୋକିବା ଏବଂ ଆବଶ୍ୟକ ସ୍ଥଳରେ ପୋଲିସକୁ ସୂଚନା ଦେବା ଲାଗି ପୋଲିସ ସେମାନଙ୍କୁ ସଚେତନ କରାଇଥିଲେ । ଦୈନନ୍ଦିନ ଜୀବନରେ ବିଭିନ୍ନ ସ୍ଥାନରେ ଅପରାଧ ଘଟୁଛି । ଏହାକୁ ରୋକିବା ଲାଗି ଛାତ୍ରଛାତ୍ରୀମାନେ ସଜାଗ୍ ହେବାର ସମୟ ଆସିଛି । ନିଜ ଅଞ୍ଚଳରେ ଚୋରୀ, ଗଣ୍ଡଗୋଳ, ଅପହରଣ, ଚୋରା ମଦ କାରବାର, ଟ୍ରାଫିକ୍ ଜାମ୍, ପ୍ରାକୃତିକ ବିପର୍ଯ୍ୟୟ ଆଦି ନଜରକୁ ଆସିଲେ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆ ଯାଇଥିଲା । ବିଶେଷକରି ସାମାଜିକ ସୁରକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏପରି ସଚେତନତା କରାଯାଇଥିଲା । ଅନ୍ୟପଟେ ଅଧିକାଂଶ ସ୍ଥଳରେ ପୋଲିସ ପ୍ରତି ଲୋକଙ୍କର ଥିବା ଭୟକୁ ଏଡେଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ପୋଲିସ ବାବଦରେ ଅବଗତ ନୁହଁନ୍ତି ସେମାନେ ସାଧାରଣତଃ ପୋଲିସକୁ ଭୟ କରିଥାନ୍ତି । ହେଲେ ପୋଲିସ ସମସ୍ତଙ୍କର ବନ୍ଧୁ ଏବଂ ଅପରାଧିକ ଘଟଣା ସହିତ ବିପଦ ଆପଦରେ ପୋଲିସ ସହାୟ ହୋଇଥାଏ ବୋଲି କୁହାଯାଇଥିଲା । କେତେକ ସ୍ଥଳରେ ଅପରାଧିମାନଙ୍କୁ ଅପରାଧ ରୋକିବା ଲାଗି ପୋଲିସକୁ ନାଲି ଆଖି ଦେଖେବାକୁ ପଡିଥାଏ । ସେଥିରେ ସାଧାରଣ ଲୋକେ ଭୟଭୀତ ହେବାର ନାହିଁ ବୋଲି ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ସେହିପରି କୌଣସି କାମରେ ପୋଲିସ କୌଣସି ଗାଁକୁ ଗଲେ ସଂପୃକ୍ତ ଲୋକର ପ୍ରକୃତ ଠିକଣା ଜଣାଇବା ସହିତ ପୋଲିସକୁ ସହଯୋଗ କଲେ ଆମ ଅଞ୍ଚଳ ଅପରାଧମୁକ୍ତ ହୋଇ ପାରିବ ବୋଲି ପରାମର୍ଶ ଦିଆଯାଇଛି । ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସମେତ ଏସଆଇ ଅରୁନ୍ଧତୀ ବେହେରା, ପ୍ରଶାନ୍ତ ନାୟକ ଓ ପ୍ରବୀଣ ଗିରି, ଏଏସଆଇ କମଳାକାନ୍ତ ଶତପଥି, ପାର୍ଥସାରଥି ବେହେରା ଓ ଦିଲ୍ଲିପ କୁମାର ଦେହୁରୀ, ହାବିଲଦାର ନକୁଳ ସେନାପତି ଓ ବିଦ୍ୟାଧର ସୂତାର ଓ ଅନ୍ୟମାନେ ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।