Odisha news

ସୂଚନା ଅଧିକାର ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

0

ବାରିପଦା  : ପ୍ରଶାସନିକ ଢାଞ୍ଚାରେ ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ୱକୁ ଦୃଢ କରିବା ନିମନ୍ତେ ଓଡିଶା ସରକାରଙ୍କ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଅଧିନସ୍ଥ ସୂଚନା ଅଧିକାର ଆଇନ ପ୍ରକଳ୍ପ ପରିଚାଳନା ୟୁନିଟ୍ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟଳୟସ୍ଥ ସମ୍ମିଳନୀ କକ୍ଷ ସଭାଗୃହଠାରେ ଆଭାସୀ ମାଧ୍ୟମରେ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସୂଚନା ଅଧିକାର ଆଇନ ଅଧିନିୟମ, ୨୦୦୫ର ଧାରା ୪(୧)(ଖ) ଅଧୀନରେ ଲିପିବଦ୍ଧ ସ୍ୱେଚ୍ଛାକୃତ ପ୍ରକାଶର ବାଧ୍ୟତାମୂଳକ ପ୍ରାବଧାନ ସଂଲଗ୍ନ ନିୟମାବଳୀ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ । ଜିଲ୍ଲାପାଳ ଆଶିଷ ଠାକରେଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ଓ ଅତିରିକ୍ତ ଜନ ସୂଚନା ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି ଶିବିରଟି ଆୟୋଜିତ ହୋଇଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରଙ୍କର ସୂଚନା ଅଧିକାର ଆଇନର ଡୋମେନ ଏକ୍ସପର୍ଟ ହର୍ଷ ପରିଚ୍ଛା ଆଭାସୀ ମାଧ୍ୟମରେ ଏହି ଶିବିରକୁ ପରିଚାଳନା କରିଥିଲେ । ଦୈନନ୍ଦିନ କାର୍ଯ୍ୟରୁ ବ୍ୟବହାରିକ ଉଦାହରଣ ମାଧ୍ୟମରେ ଶ୍ରୀ ପରିଚ୍ଛା ସୂଚନା ଅଧିକାର ଆଇନର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆବେଦନ ଗୁଡିକ ପରିଚାଳନା କରିବାବେଳେ ସର୍ବଦା ନିୟମ ମଧ୍ୟରେ କାର୍ଯ୍ୟ କରିବାକୁ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁରୋଧ ଗୁଡିକର ଉତ୍ତର ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ଶ୍ରୀ ପରିଚ୍ଛା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଏବଂ ଧାରା ୪(୧)(ଖ)ର ପ୍ରାବଧାନ ଗୁଡିକୁ ନିୟମିତ ଅଦ୍ୟତନ କରିବାକୁ ସେ ଅଧିକାରୀମାନଙ୍କୁ ସୂଚିତ କରାଇଥିଲେ । ଏହି ତାଲିମ ଅଧିବେଶନରେ ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ଅଧିକାରୀଙ୍କ ପାଇଁ ସୂଚନା ଅଧିକାର ଆଇନ ଏବଂ ଏହାର ଭୂମିକା ଏବଂ ଦାୟିତ୍ୱ ପାଇଁ ଏହାର ପ୍ରଭାବକୁ ସ୍ପଷ୍ଟ କରିବା ନିମନ୍ତେ ଏକ ମୂଲ୍ୟବାନ ସୁଯୋଗ ଆଣିଥିଲା । ଏହି ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ଯୋଗଦାନ କରିଥିଲେ । ପରିଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ସୂଚନାଯୋଗ୍ୟ କି, ରାଜ୍ୟ ମୁଖ୍ୟାଳୟରୁ ଆଭାସୀ ମାଧ୍ୟମରେ ପରିଚାଳିତ ଏହି ଶିବିର ମୟୂରଭଞ୍ଜ ସମେତ ନବରଙ୍ଗପୁର, ନୟାଗଡ଼, ମାଲକାନଗିରି ଓ ନୂଆପଡା ଜିଲ୍ଲାରେ ମଧ୍ୟ ଆୟୋଜିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ସଂଯୋଜନା କରାଯାଇଥିବା ବେଳେ, କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା, ଶିବଶଙ୍କର ଦତ୍ତ, ରାମେଶ୍ୱର ବେଶ୍ରା ଓ ରବି ନାରାୟଣ ନାୟକ ପ୍ରମୁଖ ସହାୟତା କରିଥିଲେ ।

Govt
Leave A Reply