ବାରିପଦା : ପ୍ରୟାସ ସମ୍ମିଳନୀ କକ୍ଷରେ “ନିଖିଳ ଉକôଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ମୟୂରଭଞ୍ଜ ଶାଖା” ର ଜିଲ୍ଲାସ୍ତରୀୟ “ବାର୍ଷିକ ସମ୍ମିଳନୀ ତଥା ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ–୨୦୨୪” ସଭାପତି ଚିତ୍ତରଞ୍ଜନ ପ୍ରତିହାରୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ଦାଶ, ସମ୍ମାନିତ ଅତିଥିଭାବେ ରାଜ୍ୟ ସଂଘ ଉପ-ସଭାପତି ଦୈତାରୀ ଦିଗାଲ, ରାଜ୍ୟସଂଘ ଉପଦେଷ୍ଟା ପ୍ରମୋଦ କୁମାର ହରିଚନ୍ଦନ, ରେବା ଦାସ, ଜିଲ୍ଲା ସଂଘ ଉପଦେଷ୍ଟା ଦେବେନ୍ଦ୍ର କୁମାର ପଣ୍ଡା, ରାମଚନ୍ଦ୍ର ମାଝୀ, ପୂର୍ବତନ ସମ୍ପାଦକ ଦୀପ୍ତିକାନ୍ତ ଜେନା ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ନିରୀକ୍ଷକ ମାନସ ରଞ୍ଜନ ତ୍ରିପାଠୀ ମଞ୍ଚାସୀନ ହୋଇ ନିଜସ୍ୱ ବକ୍ତବ୍ୟମାନ ରଖିଥିଲେ । ଏହି ଅବସରରେ ୧୮ଜଣ ଅବସରପ୍ରାପ୍ତ ବିଭାଗୀୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ମୁଖ୍ୟଅତିଥି, ମୁଖ୍ୟବକ୍ତା ଏବଂ ଅନ୍ୟ ମଞ୍ଚାସୀନ ଅତିଥିବୃନ୍ଦ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ଅବସର କାଳୀନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ସଦ୍ୟ ସମାପ୍ତ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କାର ଯୋଜନାରେ “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର”ରେ ସମ୍ମାନୀତ ହୋଇଥିବା ବାଗୁଲି ଆଶ୍ରମ ବିଦ୍ୟାଳଯର ପ୍ରଧାନଶିକ୍ଷକ ବିଶ୍ୱନାଥ ସାହୁ, ଖଇରବଣି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନିତା ଦାଶ ଓ ଚମ୍ପାଝର ଆଶ୍ରମ ବିଦ୍ୟାଳୟର ଶିକ୍ଷକଙ୍କୁ ମଞ୍ଚାସୀନ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ତାଙ୍କ ବକ୍ତ୍ୟବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗୀୟ ଶିକ୍ଷକମାନଙ୍କର ସେବା, ନିଷ୍ଠା ଓ ତ୍ୟାଗପୂତ କର୍ମଶୈଳୀର ଭୂୟସୀ ପ୍ରଶଂସା କରିବା ସହିତ ଜନଜାତି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସଂଘ ସମ୍ପାଦକ ଧ୍ରୁବଚରଣ ମୁର୍ମୁ ତାଙ୍କର ବାର୍ଷିକ ବିବରଣୀ ପାଠ ପୂର୍ବକ ସଂଘର କେତେକ ନ୍ୟାର୍ଯ୍ୟ ଦାବୀ ଯଥା :- ଗ୍ରେଡେସନ୍ ଲିଷ୍ଟ ପ୍ରକାଶନ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଠିକ ସମୟରେ ମାସିକ ଦରମା ପ୍ରଦାନ, ଅନ୍ୟାନ୍ୟ ବକେୟା ପ୍ରାପ୍ୟ ସଠିକ୍ ସମୟରେ ପ୍ରଦାନ, ରିକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ଥାନରେ ତୁରନ୍ତ ନିଯୁକ୍ତି ଇତ୍ୟାଦି ଦାବୀ ଉପସ୍ଥାପନ କରିଥିଲେ । ଦୀପକ କୁମାର ଦଣ୍ଡପାଟ ମଞ୍ଚ ପରିଚାଳନା କରିଥିବାବେଳେ ଦିପ୍ତୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପଦ୍ମଲୋଚନ ଆଚାର୍ଯ୍ୟ, ଉମା ଦେ, ରଶ୍ମିତା ଜେନା, ସୁକେଶ ବେହେରା, ବିଜୟ ନାଏକ, ପ୍ରିୟବ୍ରତ ମିଶ୍ର, ପ୍ରଦୀପ କୁମାର ଭୂୟାଁ, ସୁପ୍ରଭା ବେରା ଓ ରଜତ ଦାଶ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ ।