ବ୍ରହ୍ମପୁର– ମନୁଷ୍ୟ ଜୀବନରେ ମୃତ୍ୟୁ ଚିରନ୍ତନ ସତ୍ୟ । ଯଦି ଜନ୍ମ ଜୀବନ ଯାତ୍ରାର ଆରମ୍ଭ ହୁଏ ତେବେ ମୃତ୍ୟୁ ଶେଷ ଯାତ୍ରା । ଯାହାକୁ ମହାଯାତ୍ରା କୁହାଯାଏ। ମନୁଷ୍ୟର ଏହି ଶେଷ ଯାତ୍ରାରେ ତାସହିତ କେହି ଯାଆନ୍ତି ନାହିଁ ।ସ୍ତ୍ରୀ,ଛୁଆପିଲା,ସମ୍ପତ୍ତି କିଛିବି ନୁଁହ । ଯାଏତ କେବଳ ତାର କର୍ମ । ଅନିରୁଦ୍ଧ ମଧ୍ୟ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ମୃତ୍ୟୁକୁ ମହାଯାତ୍ରା ଭାବି ସାଥୀରେ ଯିବା ପାଇଁ ସ୍ତ୍ରୀ,ପୁତ୍ର ଓ ସମ୍ପର୍କୀୟ ମାନଙ୍କୁ କହିଛନ୍ତି ।ହେଲେ ତାଙ୍କ ସହିତ ଯିବାକୁ କେହିବି ରାଜି ହୋଇନାହାନ୍ତି । ଶେଷରେ କଣ ହୋଇଛି ଅନିରୁଦ୍ଧଙ୍କର , କଣ କରିଛନ୍ତି ସେ ? ଏମିତି କିଛି ସୁଖଦୁଃଖ ଫେଣ୍ଟାଫେଣ୍ଟି ବଳିଷ୍ଠ ବିଷୟବସ୍ତୁକୁ ନେଇ ମଂଚସ୍ଥ ହୋଇଛି ସମ୍ବଲପୁରୀ ନାଟକ”ମହାଯାତ୍ରା” । ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ତରଫରୁ ଆୟୋଜିତ 16ତମ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ସମ୍ବଲପୁର ସ୍ୱର ନାଟ୍ୟସଂସ୍ଥା ତରଫରୁ ପରିବେଷିତ ହୋଇଥିବା ଏହି ନାଟକକୁ ସରୋଜ କୁମାର ତପ୍ନ ରଚନା କରିଥିବା ବେଳେ ମାନସ ରଞ୍ଜନ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି । ଶିବସାୟା ମିଶ୍ର ସଙ୍ଗୀତ ଓ ସରୋଜ କୁମାର ତପ୍ନ ଆଲୁଅ ଦାୟିତ୍ୱ ତୁଲାଇଥିଲେ । ନାଟକରେ ମାନସ ରଞ୍ଜନ ମିଶ୍ର,ଛନ୍ଦାମୟୀ ମିଶ୍ର,ଦନାର୍ଦନ ପ୍ରଧାନ,ସତ୍ୟନାରାୟଣ ସାହୁ,ବୃନ୍ଦାବନ ମିଶ୍ର,ପ୍ରିୟଂଶା ପ୍ରଧାନ,ସୁଚିତ୍ରା ଦାସ ପ୍ରମୁଖ ଅଭିନୟ କରିଥିଲେ । ନାଟକଟି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ନାଟକ ପୂର୍ବରୁ ଅନୁଷ୍ଠାନର ସାଙ୍ଗଠନିକ ସମ୍ପାଦକ ଶଙ୍କର୍ଷଣ ସାବତ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ,ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର,ଶାଶ୍ୱତୀ ନାଟ୍ୟସଂସ୍ଥା ସଭାପତି ରାମଚନ୍ଦ୍ର ସାସମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର କୋଷଧକ୍ଷ ବିନାୟକ ହୋତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହ-ସମ୍ପାଦିକା ଆରତୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର , ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ,ଉପଦେଷ୍ଟା ସୁବାସ ସାହୁ ,ସରୋଜ ପଣ୍ଡା,ରମେଶ ରଣା, ବିଘ୍ନ ଆଚାର୍ଯ୍ୟ,ରାଧାକାନ୍ତ ନାୟକ,ପଦ୍ମିନୀ ମିଶ୍ର,ପ୍ରମୁଖଙ୍କ ସହ ଗିରିଜା ଶଙ୍କର ଦାସ,ରବୀନ୍ଦ୍ର କୁମାର ନାୟକ,ନବକିଶୋର ମହାପାତ୍ର, ସିଏଚ.ଦେବଦାସ ପ୍ରମୂଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଶ୍ମିତା ସାମଲ ଓ ସୁଦିପ କୁମାର୍ ସାହୁ ପରିଚାଳନା କରିଥିଲେ ।