କଣାସ,୧୧/୦୧ :ପୁରୀ ଜିଲ୍ଲା କଣାସ ବ୍ଲକ୍ ଖଣ୍ଡହତା ଗ୍ରାମରେ ଦୂଷିତ ଜଳ ପିଇବା ଦ୍ଵାରା ଝାଡା ବାନ୍ତିରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ଖବର ନେବାରେ ଜଣାପଡିଛି ଗ୍ରାମରେ ଶତାଧିକ ପରିବାର ବସ ବାସ କରୁଥିଲେ ମଧ୍ୟ ଦୀର୍ଘ ଦିନ ହେବ ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି ।ଏହି ଗ୍ରାମରେ କୌଣସି ନଳକୂପ ନଥିବାରୁ ଲୋକମାନେ ବାଧ୍ୟ ହୋଇ ଏକ ମାତ୍ର ପୋଖରୀ ଉପରେ ନିର୍ଭର କରି ଚଳିଥାନ୍ତି । ଦୈନିକ ମହିଳା ,ପୁରୁଷ ଓ ଛୋଟ ବଡ଼ ପିଲାମାନେ ଏହି ପୋଖରୀରେ ସ୍ନାନ ଶୌଚ ଠାରୁ ଆରମ୍ଭ କରି ରୋଷେଇବାସ କରିବା,ଲୁଗାପଟା ସଫା କରିବା,ଗାଈ ବଳଦ ଧୋଇବା,ଘରର ଜିନିଷ ପତ୍ର ଧୋଇବା ଓ ଏହି ପୋଖରୀର ପାଣିକୁ ପାନୀୟ ଜଳ ଭାବେ ବେବହାର କରିଥାନ୍ତି ।ଫଳରେ ଏଭଳି ଝାଡା ବାନ୍ତି ବ୍ୟାପୁଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଗ୍ରାମ ନିକଟ ନୂଆ ପୋଖରୀ ଠାରେ ଏକ ଅର୍ଦ୍ଧ ନିମିତ୍ତ ପାଣି ଟାଙ୍କି ଥିବା ବେଳେ ଓ ଗ୍ରାମରେ ପାଣି ପାଇପ ବିଛା ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ବସୁଧା ଯୋଜନାରେ ଗ୍ରାମବାସୀ ପାନୀୟ ଜଳ ପାଇପାରୁ ନଥିବା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି କିଛି ଦିନ ହେବ ଦୂଷିତ ପାଣି ବ୍ୟବହାର କରି ଗ୍ରାମରେ ଝାଡା ବାନ୍ତି ରୋଗରେ ଲୋକମାନେ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ଗ୍ରାମର ପ୍ରସନ୍ନ ପରିଡା,ଅତୁଲ୍ୟ କୁମାର ଦାସ,ଚିତ୍ରେସେନ ପ୍ରଧାନ,ଚଞ୍ଚଳା ପରିଡା ଓ ସୂର୍ଯ୍ୟକାନ୍ତୀ ପରିଡା ପ୍ରମୁଖ ଅଭିଯୋଗ କରିଛନ୍ତି ।କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା କହିଛନ୍ତି ଗ୍ରାମରେ ଅଙ୍ଗନୱାଡ଼ି ଓ ଆଶା କର୍ମୀ ଓ ଏନମ ଘର ଘର ବୁଲି ଓ.ଆର. ଏସ ପାଉଡର ଓ ଝାଡା ବାନ୍ତି ପାଇଁ ଔଷଧ ବଣ୍ଟନ କରୁଛନ୍ତି । ସେପଟେ ବ୍ଲକ୍ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଖଣ୍ଡହତା ଗ୍ରାମକୁ ଯୋଗାଇ ଦିଆଯାଇଥିବା ବିଡ଼ିଓ ନାରାୟଣ ସାହୁ କହିଛନ୍ତି । ଗ୍ରାମରେ ଦୂଷିତ ପାଣି ପିଇ ଝାଡା ବାନ୍ତିରେ ଲୋକମାନେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆଣିଥିବା ବେଳେ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କଲେ ପ୍ରକୃତ ଘଟଣା ଜଣାପଡ଼ିବ ।