ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ତିନିଜଣ ତାରକା ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗିଲ୍ ୯ ରନ, କୋହଲି ୦ ଓ ଆୟର ୪ ରନ କରି ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରୋହିତ ୮୭ ରନ କରି ଆଉଟ ହେବାସହ ଶତକରୁ ବଞ୍ଚିତ ହୋଇଥିବାବେଳେ ସୂର୍ଯ୍ୟ ୪୯ ରନ କରି ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୨୯ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ ଡେଭିଡ ଓ୍ବିଲି ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକସ ଓ ଆଦିଲ ରସିଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।