ନିରାକାରପୁର,୧୨/୯: ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ ପ୍ରଦାନ କରି ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହିତ ଦେଶର ଅର୍ଥନୈତିକ ସ୍ଥିତି ର ଅଭିବୃଦ୍ଧିରେ ସହାୟକ ହେବା ଉଦ୍ଦେଶ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଳସିଂହ ପଞ୍ଚାୟତ କଲ୍ୟାଣ ମଣ୍ଡପ ସଭଗୃହରେ ଏକ ବୃହତ ସ୍ଵଂୟ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ଛଣଗିରି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଶିଅଳ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମୁଖ୍ୟ ଏସବିଆଇ କାର୍ଯ୍ୟାଳୟ ଡିଜିଏମ (ଏଗ୍ରି) ଶ୍ରୀଯୁକ୍ତ ଶୈଳେଶ ଚନ୍ଦ୍ର ଭଟ୍ଟ ଯୋଗଦେଇ ବିନା ସୁଧରେ ମହିଳା ମାନେ ନିଜେ ନିଜ ଗୋଡ଼ରେ ଛିଡ଼ା ହୋଇ ସମାଜରେ ନିଜର ସ୍ଥିତିକୁ ମଜବୁତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ଏହି ଋଣ ଅର୍ଥ କୁ ସଠିକ୍ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବରେ ଏଜିଏମ୍ ରାମ ରମଣ ପାଢ଼ୀ, ଆର ଏମ ନରେନ୍ଦ୍ର କୁମାର ଜେନା, ଟାଙ୍ଗୀ ବ୍ଲକ ସିଡିପିଓ ନିର୍ମଳା ଦାଶ, ବିପିସି ସ୍ଵର୍ଣ୍ଣ ପ୍ରଭା ସ୍ବାଇଁ , ରଣପୁର ଏସବିଆଇ ଶାଖା ପରିଚାଳକ ରାଜ କୁମାର ବେହେରା ଓ କମାଗୁରୁ ଏସବିଆଇ ଶାଖା ପରିଚାଳକ ଜ୍ଞାନେଶ ଚନ୍ଦ୍ର ବାରଜ୍ ପ୍ରମୁଖ ଯୋଗ ଦେଇ ଋଣ ଅର୍ଥର ବିନିଯୋଗ ଓ ଆଦାୟ ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଛଣଗିରି , କମାଗୁରୁ ଓ ରଣପୁର ଏସବିଆଇ ଶାଖା ଅଧିନସ୍ଥ ସମୁଦାୟ ୮୫ ଟି ସ୍ଵଂୟ ସହାୟକ ଗୋଷ୍ଠୀ ଙ୍କୁ ୪ କୋଟି ୬୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ସମୁଦାୟ ୩୦୦ ରୁ ଅଧିକ ମହିଳା ଉପସ୍ଥିତ ରହିଥିଲେ। ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।