ଭୁବନେଶ୍ୱର : ଓଡ଼ିଶାରେ ଜିକିତ୍ସା ହେଲ୍ଥକେୟାର ଲିମିଟେଡ ଦ୍ୱାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ସେବାକୁ ଗତ ଅଗଷ୍ଟ ୧୩ ତାରିଖ ୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସା ଓ ସମ୍ବର୍ଦ୍ଧିତ କରାଯାଇଛି । ଭୟାବହ ବାହାନଗା ରେଳ ଦୁର୍ଘଟଣା ସମୟରେ ଯୋଗାଇଥିବା ଅସାଧାରଣ ସେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବ ଲୋକସେବା ଭବନରେ ଆୟୋଜିତ ହୋଇଥିଲା ଯେଉଁଠାରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ, ଅନୁଷ୍ଠାନ ଓ ଏଜେନ୍ସିଗୁଡିକୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏମ୍ଡି ଏନ୍ଏଚ୍ଏମ୍, ଆଇଏଏସ, ଡକ୍ଟର ବୃନ୍ଦା ଡି ଓ ୧୦୮ ଆମ୍ବୁଲାନ୍ସର ପ୍ରୋଜେକ୍ଟ ହେଡ୍ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କଠାରୁ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି ।
ଏସମ୍ପର୍କରେ ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି,“ଆମେ ଗତ ୧୧ ବର୍ଷ ହେବ ଓଡିଶାରେ ପରିଚାଳନା କରୁଛୁ ଏବଂ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟ ଅନେକ ଦୃଷ୍ଟିରୁ ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ଥିଲା । କାରଣ ମାତ୍ର କିଛି ଘଂଟାରେ ୧୧ଟି ଜିଲ୍ଲାରୁ ୨୨୯ଟି ଏମର୍ଜେନ୍ସି ମେଡିକାଲ ଆମ୍ବୁଲାନ୍ସକୁ ଘଟଣାସ୍ଥଳକୁ ଅଣାଯାଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ କାରଣରୁ ଏହା ସମ୍ଭବ ହୋଇପାରିଥିଲା । ଗତ କିଛି ବର୍ଷ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟରେ ନିଜର ସେବାକୁ ଉନ୍ନତ କରିଛି । କେବଳ ୨୮୦ଟି ଆମ୍ବୁଲାନ୍ସ ସହ ଆରମ୍ଭ କରିଥିବା ଜେଡ୍ଏଚ୍ଏଲ୍ ଏବେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ଅଧିନରେ ୧୧୨୪ଟି ଆମ୍ବୁଲାନ୍ସର ପରିଚାଳନା କରୁଛି । ଏହି ସେବା ୧ କୋଟିରୁ ଅଧିକ ରୋଗୀଙ୍କୁ ଉପକୃତ କରିଛି । ସେହିପରି ୬ଟି ୧୦୮ ବୋଟ ଆମ୍ବୁଲାନ୍ସକୁ ବିଚ୍ଛିନ୍ନାଂଚଳରେ ନିୟୋଜିତ କରାଯାଇଛି । ଏହାର ଭୁବନେଶ୍ୱର-ସ୍ଥିତ ୨୪ଞ୍ଚ୭ ଇଂଟିଗ୍ରେଟେଡ୍ ସେଂଟର୍ର ଅଧିକାରୀମାନେ ଦକ୍ଷତାର ସହ ରୋଗୀଙ୍କ ସ୍ଥାନ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ ଯେତେଶୀଘ୍ର ସମ୍ଭବ ଆବଶ୍ୟକୀୟ ଚିକିତ୍ସା ସେବା ପାଇବାରେ ସହଯୋଗ କରିଥାନ୍ତି । ୧୦୮ ଆମ୍ବୁଲାନ୍ସ ସେବାକୁ ମାର୍ଚ୍ଚ ୫, ୨୦୧୩ରେ ଆରମ୍ଭ କରାଯାଇଥିଲା ।
