Odisha news

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରା ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ର ଶୁଭାରମ୍ଭ

0

ବାରିପଦା  : ଓଡିଶା ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା’ ଅନ୍ତର୍ଗତ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନରତ ନବମ ଓ ଦଶମ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ୟୁନିଫୋର୍ମ ପ୍ରଦାନ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜଙ୍କ ଦ୍ୱାରା ରାଇରଙ୍ଗପୁର ସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ମୋଟ୍ ୫୭୦ଟି ସରକାରୀ ଓ ସାହାଯ୍ୟ ପ୍ରାପ୍ତ ସରକାରୀ ଉଚ୍ଚବିଦ୍ୟାଳୟର ୨୯,୭୫୯ ଜଣ ଛାତ୍ର ଓ ୨୮,୪୯୨ ଜଣ ଛାତ୍ରୀ ମୋଟ ୫୮,୨୫୧ ଜଣ ଛାତ୍ରଛାତ୍ରୀଙ୍କୁ ୟୁନିଫୋର୍ମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ୟୁନିଫୋର୍ମ ଯୋଗାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ବ୍ଲକସ୍ତରୀୟ କମିଟି ଦ୍ୱାରା ଚୟନ କରାଯାଇଥିବା ୪୨୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ୯୮ଟି ମଧ୍ୟମ ଓ ଲଘୁ ଉଦ୍ୟୋଗକୁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦନ କରାଯାଇଛି । ଯେଉଁ ଉଚ୍ଚବିଦ୍ୟାଳୟ ମାନଙ୍କରେ ୟୁନିଫୋର୍ସ ଯୋଗାଣ କାର୍ଯ୍ୟ ନିମନ୍ତେ କୌଣସି ମହିଳା ସ୍ୱୟଂସହାୟକ ଗୋଷ୍ଠୀ କିମ୍ବା ମଧ୍ୟମ ଓ ଲଘୁ ଉଦ୍ୟୋଗ ଉପଲବ୍ଧ ନାହାନ୍ତି, ସେହି ଉଚ୍ଚବିଦ୍ୟାଳୟ ମାନଙ୍କରେ ଏହି କାର୍ଯ୍ୟ ଉକ୍ତ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ ସମିତି ଦ୍ୱାରା ସମ୍ପାଦନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ଚନ୍ଦ୍ର ମୁର୍ମୁ, ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧ୍ୟାକାରୀ ଭାଗୀରଥୀ ମହାନ୍ତି ଓ ମୟୂରଭଞ୍ଜ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୋଷାକ ବିତରଣ କାର୍ଯ୍ୟକ୍ରମକୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିପ୍ରଭା ମହାନ୍ତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା କବାଟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply