ଓଡ଼ଗାଁ,୧୩/୮ : ଆଜି ସ୍ଥାନୀୟ ମା’ ହେମାମାଳି ମନ୍ଦିର ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ବରିଷ୍ଠ କବି ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମାଟିରକବି ଲୋକନାଥ ମିଶ୍ର (ଭରଦ୍ୱ।ଜ) ମୁଖ୍ୟ ଅତିଥି, ବିଶିଷ୍ଟକବି, ସମାଜସେବୀ ତଥା ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଦିବାକର ନାୟକ ମୁଖ୍ୟବକ୍ତା ଏବଂ ବୋଲଗଡ଼ ଅଞ୍ଚଳର ବିଶିଷ୍ଟ କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ସହ ଜୀବନର ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।ମୁଖ୍ୟ ପରିଚାଳକ କବି ରଞ୍ଜନ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କବି ଗୀତାଞ୍ଜଳି ମହାପାତ୍ର ଅନୁଷ୍ଠାନର ଆଜୀବନ ସଦସ୍ୟତା ଗ୍ରହଣ କରିବାରୁ ତାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ କବି ଯଶୋବନ୍ତ ପଟ୍ଟନାୟକ ପୂର୍ବ ଅଧିବେଶନର ବିବରଣୀ ପାଠ କରିବା ସହ ଆଜିର କବିତା ପାଠୋତ୍ସବର ସଂଯୋଜନା କରିଥିଲେ।ବରିଷ୍ଠକବି ତଥା ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ,ଦ୍ୱିତୀକୄଷ୍ଣ ମିଶ୍ର,ପରମାନନ୍ଦ ସ୍ୱାଇଁ,ବବିତାରାଣୀ ମହାପାତ୍ର, ପ୍ରଭାତି ପଟ୍ଟନାୟକ,ସବିତା ପାତ୍ର ପ୍ରମୁଖ ନିଜସ୍ୱ କବିତା ପାଠ କରିଥିଲେ।ପରିଶେଷରେ ଉପସ୍ଥିତ ସଭ୍ୟସଭ୍ୟାମାନେ କିଛି ସମୟ ସାଂଗଠନିକ ଆଲୋଚନା କରିଥିଲେ ଓ କୋଷାଧ୍ୟକ୍ଷ ରମାକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।