Odisha news

ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ : ରୀତିନୀତି ନିୟମରେ ଅନ୍ତିମ ସଂସ୍କାର କରିଲା ବନବିଭାଗ

0
ଭଞ୍ଜନଗର ୦୯ /୦୮,  ବାଘ ଆମ  ଦେଶର ଜାତୀୟ ପଶୁ | ଜାତୀୟ ପଶୁକୁ ସୁରକ୍ଷା ଦେବା ସମସ୍ତ ନାଗରିକର କର୍ତବ୍ୟ | କିନ୍ତୁ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |    ଭଞ୍ଜନଗର – ଫୁଲବାଣୀ ରାସ୍ତାରେ ଆଜି ଏକ  କଲରା ପତରିଆ  ବାଘର ମୃତ୍ୟୁ ହୋଇଛି | ବାଘ ବଂଶ ବିସ୍ତାର ପାଇଁ ସାରା ଦେଶରେ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରୟାସ ଜାରି ରହିଛି ପ୍ରତି ଦୁଇ ବର୍ଷରେ ବାଘ ଗଣନା କରାଯାଉଥିଲେ ମଧ୍ୟ ବାଘଙ୍କ ଗଣନା ସଠିକ ଭାବେ ହେଉନଥିବା ଜଣାପଡୁଛି |  ବାଘ ରହୁଥିବା ଜଙ୍ଗଲ ଗୁଡିକରେ ବନବିଭାଗ ପକ୍ଷରୁ ଆଖପାଖ ଅଞ୍ଚଳରେ  ସଚେତନତା ଏବଂ ସେମାନଙ୍କ ସୁରକ୍ଷା ଉପରେ ସବୁବେଳେ ନଜର ରଖିଥାନ୍ତି | ଆମ ରାଜ୍ୟ ଓଡ଼ିଶାରେ ବାଘଙ୍କ ସଠିକ ଭାବେ ଗଣନା ହେଉନଥିବାରୁ  କେଉଁ ଜଙ୍ଗଲରେ କେତେ ବାଘ ଅଛନ୍ତି ତାହା ସ୍ପଷ୍ଟ ହୋଇପାରୁନାହିଁ ଯାହାଫଳରେ ବାଘକୁ ସୁରକ୍ଷା ଦେବା ଦିଗରେ ବନ ବିଭାଗ ସକ୍ଷମ ହୋଇପାରୁନାହିଁ |  ଯାହାଫଳରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ ମୁଖ୍ୟ ରାସ୍ତାର ବୁଦୁଲି ଓ ମୁଜାଗଡ ମଧ୍ୟରେ ଜାତୀୟ ରାଜପଥ -୧୫୭ରେ କୌଣସି ଏକ ଅଜଣା ଗାଡି ଧକ୍କାରେ କଲରା ପତରିଆ ବାଘର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି |  ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଦୁର୍ଘଟଣା ଘଟିଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି | ଜାତୀୟ ରାଜପଥ ୧୫୭ରେ ଏକ କଲରାପତରିଆ ବାଘ ଆଘାତ ହୋଇ ପଡିଥିବା ଖବର ପାଇ ମୁଜାଗଡ ନିକଟରେ ରହିଥିବା ଏକ ପୁଲିସ୍‌ କର୍ମଚାରୀ ବନ ବିଭାଗ ଓ ପୁଲସ୍‌କୁ ଖବର ଦେଇଥିଲେ | ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହାତ ବାଘକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧୀକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି।
            ଆଜି ସକାଳ ସମୟରେ ଡିଏଫ୍ଓ ଏବଂ ବନ କର୍ମଚାରୀ ମାନେ ସେଠାରେ ପହଞ୍ଚି ପାଦ ଚିହ୍ନ ଚିହ୍ନଟ କରିବା ସହ ଅନ୍ୟ ବାଘ ଅଛନ୍ତି ନା ନାହିଁ ତାହା ତଦନ୍ତ କରି ଫେରିଛନ୍ତି |  ମୃତ ବାଘକୁ ଅପରାହ୍ନରେ ଗାଇଡଲାଇନ୍ ଅନୁଯାୟୀ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କ ଉପସ୍ଥିତିରେ ଲାଲସିଂ ନର୍ସରୀ ଠାରେ ତାର ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯାଇଛି | ବାଘଟିର ବୟସ ଆନୁମାନିକ ୩ରୁ ୪ ବର୍ଷ ବୟସ ହୋଇଥିବା ବେଳେ ଏହା ଏକ ମାଈ ବାଘ ବୋଲି ବନ ବିଭାଗ ସ୍ପଷ୍ଟ କରିଛି | ଯାହାର ଉଚ୍ଚତା ୬୭ ସେମି ହୋଇଥିବା ବେଳେ ୯୬ ସେମି ଲମ୍ବା ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ା.ପ୍ରଦିପ୍ତ କୁମାର ସାହୁଙ୍କ ନେତୃତ୍ବରେ ଡା.ନିଶିକାନ୍ତ ବଳ,ଅଶୋକ କୁମାର ପତି,ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି ପ୍ରମୁଖ ବ୍ୟବଚ୍ଛେଦ କରିଥିବା ବେଳେ ଆର୍ସିସିଏଫ୍ କାର୍ଯ୍ୟାଳୟର ଡିସିଏଫ୍ ରମା ରଞ୍ଜନ ପଟ୍ଟନାୟକ,ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ,ଶୂଳପାଣୀ ଶତପଥୀ,ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ,କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା,ମୁଜାଗଡ ବନପାଳ ଚନ୍ଦ୍ରମଣୀ ଦୋରା,ଭଞ୍ଜନଗର ବନପାଳ ବଂଶୀଧର ବିଶୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ | ମୁଜାଗଡ ଜଙ୍ଗଲରେ ଆହୁରି ୩ ରୁ ୪ ଟି ବାଘଙ୍କ ଚଳପ୍ରଚଳ ରହିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି | ଏଥିସହ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଥିବା ବନାଞ୍ଚଳରେ ଆହୁରି  ବାଘ ରହିଥିବା ଅନୁମାନ କରାଯାଉଛି ବାଘଙ୍କ ଗତିପଥ ଉପରେ ନଜର ରଖିବା ପାଇଁ ବନ କର୍ମଚାରୀ ପେଟ୍ରୋଲିଙ୍ଗକୁ ଅଧିକ  କରିବା ଦ୍ୱାରା  କେତୋଟି ବାଘ ଚଳପ୍ରଚଳ ରହିଛନ୍ତି ତାହା ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି   | ବର୍ତ୍ତମାନ ଉକ୍ତ ଇଲାକା ଓ ଆଖପାଖ ଅଞ୍ଚଳରେ  ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି |
Leave A Reply