ବ୍ରହ୍ମପୁର,୪।୮- ଜି. ଶୁଧା, ଓ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗରେ ନେଇ ଗତ ଦୁଇ ତାରଖରେ ମହିଳା ଥାନା ପୋଲିସ ତାଙ୍କ ସ୍ବାମୀ ଜି. ଶ୍ରୀନିବାସଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି। ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ, ୨୦୧୦ରେ ଜି. ଶ୍ରୀନିବାସ ଜଣେ ଯୁବତୀ ଜି. ଶୁଧା ଙ୍କୁ ବାହାଘର କରିଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି। କିନ୍ତୁ ତାଙ୍କ ଶାଶୂଘର ଲୋକେ ଗତ ଜୁନ ୨୫ ରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବାରୁ ସେ ବଡ଼ପୁଅକୁ ନେଇ ନିଜ ବାପାଘରେ ଚାଲି ଯାଇଥିଲେ। ସାନ ପୁଅ ଶାଶୂ ଘରେ ରହୁଛି। ତାଙ୍କ ସାନ ପୁଅ ଦେହ ଅସୁସ୍ଥ ରହିଛି ବୋଲି ଫୋନ କରି ସେ ମା’କୁ ଡାକିଥିଲା। ଫଳରେ ଜି. ସୁଦ୍ଧା, ତାଙ୍କ ମା’ଙ୍କ ସହ ଶାଶୂ ଘରକୁ ଆସି ସାନ ପୁଅକୁ ସାଙ୍ଗରେ ନେଉଥିଲେ। ଜି. ଶ୍ରୀନିବାସ ୨ତାରିଖ ରେ ରାସ୍ତାରେ ସ୍ତ୍ରୀ ଓ ପିଲାମାନଙ୍କୁ ଦେଖି ସେମାନଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଶୁଧାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିପରି ତାଙ୍କ ମା’ଙ୍କର ମଧ୍ୟ ମୁଣ୍ଡ ଫାଟିଛି। ଏହାସହ ପୁଅ ମଧ୍ୟ ଆହତ ହୋଇଛି ବୋଲି ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ୧୨୨/୨୩ରେ ଏକ ମାମଲା ରୁଜୁ କରିଥିଲା।