ତିହିଡି,୩୦/୦୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ସୈନିକ ମାନଙ୍କୁ ପେନସନ ଦେବାରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା ପାତରଅନ୍ତର ନୀତିକୁ ବିରୋଧ କରି ଆସନ୍ତା ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବିକ୍ଷୋଭରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯିବ । ଏଣୁ ଏହି ବିକ୍ଷୋଭ ଓ ସମାବେଶକୁ ସଫଳ କରିବା ଲାଗି ଭଦ୍ରକ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ସୈନିକ ସେମାନଙ୍କ ପରିବାର ବର୍ଗ ତଥା ବୀରା ନାରୀ(ବିଧବା ପତ୍ନୀ) ମାନେ ଯୋଗ ଦେବାକୁ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ଦାଶ, ସଭାପତି ରୋହିତ କୁମାର ରାୟ ଓ ସଂପାଦକ ଅଶୋକ କୁମାର ପାତ୍ର ନିବେଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୈନିକ ଓ ଅଫିସରଙ୍କ ବିଧବା ପତ୍ନୀଙ୍କୁ ମିଳୁଥିବା ପେନସନରେ ପାତରଅନ୍ତର କରାଯାଉଥିବା ବେଳେ ଯୁଦ୍ଧରେ ଶତ ପ୍ରତିଶତ ଅର୍କମଣ୍ୟ ହେଉଥିବା ସୈନିକ ଓ ଅଫିସରଙ୍କୁ ପ୍ରଦତ୍ତ ପେନସନରେ ମଧ୍ୟ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି । ସେହିପରି ସପ୍ତମ ବେତନ କମିଶନରେ ବି ସୈନିକ ଓ ଅଫିସରଙ୍କ ପେନସନ କ୍ଷେତ୍ରରେ ମଧ୍ୟ ପାତରଅନ୍ତର ନୀତି କରାଯାଇଥିବା ସଂଘ ଅଭିଯୋଗ କରିବା ସହ ଅନ୍ୟ ଦେଶମାନଙ୍କ ଭଳି ଏଠାରେ ବି ସୈନିକ ଓ ଅଫିସରଙ୍କ ପ୍ରତି ସମାନ ପେନସନ ନୀତି ଓ ସମାନ ସୁବିଧା ସୁଯୋଗ ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି ।
