ତିହିଡି,(ଯଦୁମଣି ପାଣିଗ୍ରାହୀ)୩୦/୦୩: ତିହିଡି କାଳୀ ପଡିଆ ଠାରେ ଅନୁଷ୍ଠିତ ମା’ ବାସନ୍ତୀଦୁର୍ଗା ପୂଜା ୬୩ ବର୍ଷରେ ପଦାର୍ପଣ କରିଛି । ୧୯୬୦ ମସିହାରୁ ଏଠାରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ପୂଜା ଆଜି ବି ଯଥାବିଧି ପାଳିତ ହୋଇଆସୁଛି । ସେତେବେଳେ ଆଶାମଣି ମହାପାତ୍ର, ଇନ୍ଦ୍ରମଣି ପତି, ନର ନାୟକ, ନବଘନ ପାତ୍ର ଓ ଜଗବନ୍ଧୁ ନାୟକଙ୍କ ଉଦ୍ୟମ କ୍ରମେ କାଳୀପଡିଆ ଠାରେ ଏକ ଚାଳଛପର ଘରେ ପ୍ରଥମେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ପ୍ରତିବର୍ଷ ମା’ଙ୍କ ମାଟି ମୂର୍ତ୍ତି ନିର୍ମାଣ କରାଯାଇ ଏହି ପୂଜା ସଂପନ୍ନ କରାଯାଉଥିଲା । ପରେ ମା’ଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯିବା ସହ ଗତ ୨୦୦୧ ମସିହାରେ ହେମନ୍ତ ମହାପାତ୍ର, ଘନଶ୍ୟାମ ପାଣିଗ୍ରାହୀ, ରଘୁନାଥ ପଣ୍ଡା, ପ୍ରଫୁଲ୍ଲ କୁମାର ଯତି, ଧ୍ରୁବଚରଣ ମହାରଣା, ପାର୍ଥସାରଥୀ ନାୟକ, କାହ୍ନୁଚରଣ ବେହେରା ଓ କୁଶଧ୍ୱଜ ବେହେରା ପ୍ରମୁଖଙ୍କ ପ୍ରଚେଷ୍ଟାରେ ଏଠାରେ ମା’ଙ୍କର ପଥର ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାକାର୍ଯ୍ୟ କରାଯାଇ ଆସୁଅଛି । ପୂଜକ ଭାବେ ପ୍ରସନ୍ନ କୁମାର କର ନିୟମିତ ଭାବେ ଏଠାରେ ମା’ଙ୍କ ପୂଜାକାର୍ଯ୍ୟ ନିର୍ବାହ କରି ଆସୁଛନ୍ତି । ପ୍ରତିବର୍ଷ ଷଷ୍ଠୀ ଠାରୁ ପୁଣି ଦଶମୀ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଏଠାରେ ମା’ଙ୍କ ପୂଜା ଯଥାବିଧି ସଂପନ୍ନ ହୋଇଥାଏ । ପ୍ରତ୍ୟେହ ମା’ଙ୍କ ପାଖରେ ପ୍ରସାଦ ଭୋଗ ଲଗାଯାଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଇଥାଏ । ବିଭିନ୍ନ ଦୋକାନ ବଜାର ବି ଖୋଲିଥାଏ । ଏହି ୫ ଦିନ ଏଠାରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ସନ୍ଧ୍ୟାରେ ମା’ଙ୍କ ପୀଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମା’ଙ୍କ ପୂଜାକୁ ପରିଚାଳନା କରିବା ଲାଗି ଏକ ପୂଜା କମିଟି ରହିଛି । କମିଟିର ସଭାପତି ରଘୁନାଥ ପଣ୍ଡା ଓ ସଂପାଦକ ଧ୍ରୁବଚରଣ ମହାରଣାଙ୍କ ନେତୃତ୍ୱରେ ସଭ୍ୟ-ସଭ୍ୟାମାନେ ପ୍ରତିବର୍ଷ ମା’ଙ୍କ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସଂପାଦନ କରି ଆସୁଛନ୍ତି ।
