ବାରିପଦା : ଗତ ୪ତାରିଖରେ ପୁନେ ଠାରେ ଖେଳାଯାଇଥିବା ଜଗରନଟ୍ସ ଅଲଟିମେଟ୍ ଖୋ ଖୋ ପ୍ରତିଯୋଗୀତାରେ ଓଡିଶା ଜଗରନଟ୍ସ ଅଲଟିମେଟ୍ ଖୋ ଖୋ ଟିମ୍ ଚମ୍ପିୟାନ୍ ହୋଇଥିଲା । ମୟୂରଭଞ୍ଜରୁ ମୁଣ୍ଡା ସମ୍ପ୍ରଦାୟର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ସୁକନାଥ ସିଂ ଏବଂ ଅର୍ଜୁନ ସିଂ ଏହି ଓଡିଶା ଦଳ ପକ୍ଷରୁ ଖେଳିଥିଲେ । ସେମାନଙ୍କୁ ପ୍ରଥମେ ବାରିପଦାଠାରୁ ପାଛୋଟି ନେଇ ପୋଡାଅସ୍ତିଆ ସ୍ଥିତ ବିର୍ସାମୁଣ୍ଡା ଛକଠାରେ ମୁଣ୍ଡାରୀ ରୀତିନୀତି ଅନୁସାରେ ଦୁହେଁ ଗୋଡ ଧୋଇବା ପରେ ଧାର୍ତିଆବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ଏହାପରେ ମୁଣ୍ଡା ଆଦିବାସୀ ଯୁବ ସଂଗଠନ ପକ୍ଷରୁ ସମସ୍ତ ଖେଳାଳୀ ଓ ଅଧିନାୟକ ଦୀପେଶ ମୋରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଏହାପରେ ଶାଳବଣୀଠାରେ ଅଲଗୁରୁ ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଏହି ଦୁଇ ଯୁବ ଖେଳାଳୀଙ୍କୁ ନେଇ ତାଙ୍କ ଗାଁ ରଙ୍ଗାମାଟିଆ ଏବଂ ଦିରିଗାଡା ଅଭିମୁଖେ ଏକ ବାଇକ୍ ର୍ୟାଲି ଦ୍ୱାରା ଗାଁକୁ ନିଆଯାଇ ସେଠାରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମୁଣ୍ଡା ଆଦିବାସୀ ଯୁବ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଧର୍ମପଦ ସିଂ, ସମ୍ପାଦକ ମନୋରଞ୍ଜନ ସିଂ, ସଦସ୍ୟ କିଶୋର କୁମାର ସିଂ, ସାମଲ ସିଂ, ରାଜକିଶୋର ସିଂ, ଗୁରା ସିଂ ଏବଂ ଫକୀର ମୋହନ୍ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
