Odisha news

ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସାମ୍ବାଦିକଙ୍କ ଅଶାଳୀନ ବ୍ୟବହାରକୁ ବରଦାସ୍ତ କରାଯିବନି

0

ତିହିଡି,୧୦/୦୮ : ଦଳୀୟ ପଦପଦବୀରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଜନୈକ ସାମ୍ବାଦିକଙ୍କ କଟୁ ମନ୍ତବ୍ୟ ଓ ଅଶାଳୀନ ବ୍ୟବହାରକୁ ବରଦାସ୍ତ କରାଯିବନି ବୋଲି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି । ବୁଧବାର ଦିନ ତିହିଡିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର କାର୍ଯ୍ୟକର୍ତ୍ତା ମାନେ ମିଳିତ ହୋଇ ଏପରି ସୂଚନା ଦେବା ସହ ଆଗାମୀ ଦିନରେ ଏଥିନେଇ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସୂଚନା ଅନୁସାରେ ଅବନ୍ତୀ ଦାସ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ତିହିଡିରେ କାର୍ଯ୍ୟରତ ତଥା ନିଜକୁ ପ୍ରଭାବଶାଳୀ ବୋଲାଉଥିବା ଜଣେ ସାମ୍ବାଦିକ ତାଙ୍କୁ ନିଜ ଅଫିସକୁ ଡାକିଥିଲେ । ମାତ୍ର ଶ୍ରୀମତୀ ଦାସ ସେଠାକୁ ନଯିବାରୁ ସଂପୃକ୍ତ ସାମ୍ବାଦିକ ରାଗରେ ତାଙ୍କ ନାମରେ ବିଭିନ୍ନ ଆଡେ ବିଭିନ୍ନ କଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ କୁତ୍ସାରଟନା କରୁଥିବା ଶୁଣିବାକୁ ମିଳିଥିଲା । ଏବେ ସଂପୃକ୍ତ ସାମ୍ବାଦିକଙ୍କ ଫୋନ କଲ୍ର ଏକ ଭଏସ ରେକଡିଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ହସ୍ତଗତ ହୋଇଛି, ଯେଉଁଥିରେ ସେ ବ୍ଲକ ଅଧ୍ୟକ୍ଷା, ପ୍ରାକ୍ତନ ବିଧାୟକଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବାସହ ସେମାନଙ୍କ ଚେର ଉପାଡି ଦେବେ ବୋଲି କହିଛନ୍ତି ।

ବିଜେଡିର ବିଧାୟକ ଓ ମନ୍ତ୍ରୀ ମାନେ ତାଙ୍କୁ ଡରୁଛନ୍ତି ବୋଲି ସଂପୃକ୍ତ ସାମ୍ବାଦିକ କହୁଥିବା ବେଳେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ କମଳାକାନ୍ତ ଭୋଇ ଓ ବିଜୟ ନାୟକଙ୍କୁ କିଭଳି ବରବାଦ କରି ଦେଇଥିଲେ ତାହା ଫୋନରେ କହୁଥିବା ଜଣାଯାଇଛି । ଏହବ୍ୟତୀତ ସଂପୃକ୍ତ ସାମ୍ବାଦିକ ତିହିଡିର ବିଭିନ୍ନ ସରକାରୀ ଅଫିସରଙ୍କୁ ଧମକଚମକ ଦେଇ ଚାନ୍ଦା ଆଦାୟ କରିବା, ମିଥ୍ୟା ସମ୍ବାଦ ପରିବେଷଣ କରିବା ଓ ଅନ୍ୟାୟ ଅନୀତି ବାଟରେ ଟଙ୍କା ରୋଜଗାର କରି ଏକ ବିରାଟ ଅଟ୍ଟାଳିକା ନିର୍ମାଣ କରିଥିବା ଦଳୀୟ କାର୍ଯ୍ୟକର୍ତ୍ତା ମାନେ ସୂଚନା ଦେଇଥିଲେ । ଏଥିନେଇ ଏକ ଅଭିଯୋଗ ପତ୍ର ‘ପ୍ରମେୟ’ର ସଂପାଦକଙ୍କ ନିକଟକୁ ଦଳ ପକ୍ଷରୁ ପ୍ରେରଣ କରାଯାଇଥିବା ବେଳେ ବିଧାୟକ ଗଣ ଓ ସାଂସଦଙ୍କୁ ବି ପ୍ରଦାନ କରାଯାଇଛି । ଅନ୍ୟପକ୍ଷେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦାସ ସଂପୃକ୍ତ ସାମ୍ବାଦିକଙ୍କ ବିରୋଧରେ ଏକ ଏତଲା ତିହିଡି ଥାନାରେ ଦାୟର କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର ନାୟକ, ଚିନ୍ତାମଣି ଦାସ, କୁନ୍ତଳା ମଳିକ, କମଳାକାନ୍ତ ଦାସ, ଶରତ କୁମାର ଦାସ, ଗଣେଶ ବିଶ୍ୱାଳ, ହରେକୃଷ୍ଟ ଜେନା, ଗଣେଶ ପ୍ରସାଦ ନାୟକ, ପ୍ରଦୀପ କୁମାର ପଣ୍ଡା, ଭୀମସେନ ବାରିକ, ଅମର ଦାସ, ପ୍ରିୟବନ୍ଧୁ ମାଝି ଓ ସୌମ୍ୟରଞ୍ଜନ ପରିଡା ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ

Nalco
Leave A Reply