ବାଲେଶ୍ୱର-୨୩/୦୭ : – ଆଜି ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଜିଲ୍ଲାର ତୃତୀୟ ପର୍ଯ୍ୟାୟରେ ୫-ଟି ଅନ୍ତର୍ଭୁକ୍ତ ୧୮୫ ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ/ ପ୍ରଧାନଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରୟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ବହୁ ଉପାଦେୟ ୫-ଟି ଯୋଜନାର ଆଭିମୁଖ୍ୟ ତଥା ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପରିବେଶ, ଇ-ପାଠାଗାର, ବିଜ୍ଞାନାଗାର, ସ୍ମାର୍ଟ ଶ୍ରେଣୀଗୃହ, ଖେଳପଡିଆ, ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟ ଇତ୍ୟାଦିକୁ ୫-ଟି ମାଧ୍ୟମରେ ଗୁରୁତ୍ୱ ଦେଇ ଶିକ୍ଷାଦାନର ମାନଦଣ୍ଡକୁ ଉନ୍ନତମାନର କରାଯାଇପାରିବ ବୋଲି ଶ୍ରୀ ଶିନେ୍ଦ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପ୍ରତି ସମାଜର କର୍ତବ୍ୟ, ଦାୟିତ୍ୱ ଓ ଯୋଗଦାନ ପରସ୍ପରକୁ ନିକଟତର କରାଇବାର ପ୍ରୟାସ ୫-ଟି ଜରିଆରେ ହୋଇପାରିବ ଏବଂ ଆଗାମୀ ପିଢି ଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯେ୍ୟାଦୟ ଦେଖିବେ ।
ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀ ଶିନେ୍ଦ ତାଙ୍କ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଏହି ଅବସରରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରଣରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଫକୀରମୋହନ ମେଡିକାଲ କଲେଜ ପ୍ରବନ୍ଧକ ମନୋରମା ଭୂୟାଁ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀବୃନ୍ଦ, ଗୋଷ୍ଠୀ ଶିକ୍ଷାଧିକାରୀବୃନ୍ଦ ଏବଂ ବାଲେଶ୍ୱର ଜିଲ୍ଲା ମୋ ସ୍କୁଲ ଟିମର ସଂଯୋଜକ ସନ୍ଦୀପ କୁମାର ଖଟୁଆ ଏବଂ ସଦସ୍ୟ ଶାଶ୍ୱତ ମହାପାତ୍ର, ନରେନ୍ଦ୍ର ଅଗସ୍ତି, ଶିବ ନାରାୟଣ ମିଶ୍ର, କମଳ ବିଶ୍ୱାଳ, ପ୍ରଭାତ ମଣ୍ଡଳ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ । ଜିଲ୍ଲାର ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଧରଣୀଧର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯାଇଥିଲା ।