ବାସୁଦେବପୁର,୧୧/୬ : ବାସୁଦେବପୁର ବ୍ଲକର ଆରୁହା ପଞ୍ଚାୟତର ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ ତାଙ୍କ ବାସଭବନ ତୁଳମତୁଳା ଗ୍ରାମର ଆଜି ପରଲୋକ ହୋଇ ଯାଇଛି । ଯିଏ ଦିନେ ଭାରତର ସ୍ୱାଧିନତା ଆଣିବା ପାଇଁ ଯୌବନ ଅବସ୍ଥାକୁ ହଜାଇ ଦେଇ ଇଂରେଜ ସରକାରଙ୍କ ସହିତ ସଂଗ୍ରାମ କରି ଦେଶର ସ୍ୱାଧିନତା ଆଣିବା ପାଇଁ ସଂଗ୍ରାମରେ ଝାସ ଦେଇଥିଲେ । ଆଜି ସେ ୯୬ ବର୍ଷ ବୟସରେ ଜୀବନ ଯୋଦ୍ଧରେ ସଂଗ୍ରାମ କରି କ୍ଲାନ୍ତ ହୋଇ ଧରତ୍ରୀ ମାଆ କୋଳରେ ସୁନା ପୁଅ ଚିରନିଦ୍ରାରେ ଶୋଇ ଯାଇଛନ୍ତି । ଓଡିଶାର ମାଟି ହେଉଛି ବୀର ଭୂମିପୁତ୍ରଙ୍କର ଜନ୍ମ ମାଟି । ଭାରତର ସ୍ୱାଧିନତା ସଂଗ୍ରାମର ଇତିହାସକୁ ମନ୍ଥନ କଲେ ମିଳିବ ପୁଳାଏ ପୁଳାଏ ସ୍ମୃତି । ସେହି ମାଟିର ଲଢୁଆ ପୁଅମାନଙ୍କ ମଧ୍ୟରେ ସାରଦା ପ୍ରସାଦ ରାୟ ଅନ୍ୟତମ ।
ଅବିଭକ୍ତ ବାଲେଶ୍ୱର ଜିଲ୍ଲା ସ୍ୱାଧିନତା ସଂଗ୍ରାମର ପ୍ରାଣ କେନ୍ଦ୍ର ଥିଲା ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳ । ବାସୁଦେବପୁର ବ୍ଲକର ଆରୁହା ପଞ୍ଚାୟତର ବାପା ଦ୍ୱାରିକା ପ୍ରସାଦ ରାୟ ଓ ମାଆ ପବିତ୍ରା ରାୟଙ୍କ ସାନ ପୁଅ ସାରଦା ପ୍ରସାଦ ରାୟ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପରାଧିନ ଭାରତରୁ ଇଂରେଜମାନଙ୍କୁ ତଡିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ସୁପ୍ତ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାର ଜାଗରଣ ସ୍ୃଷ୍ଠି କରିବା ପାଇଁ ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରି ଅହିଂସାର ମନ୍ତ୍ର ଭରି ଦେଇଥିଲେ । ପବିତ୍ର ଭାରତ ମାଟିରୁ ଇଂରେଜମାନଙ୍କୁ ହଟାଇବା ପାଇଁ ଗାନ୍ଧୀଙ୍କ ଡାକରାରେ ଆବାଳ ବୃଦ୍ଧ ବନିତା ସ୍ୱାଧିନତା ସଂଗ୍ରାମରେ ସ୍ୱଇଚ୍ଛାରେ ଝାସ ଦେଉଥିଲେ । ଯୁବକମାନେ ପାଠପଢାର ଡୋରି ଲଗାଇ ସୁନେଲି ଭବିଷ୍ୟତକୁ ଅନ୍ଧକାର କରି ଜାତୀୟତା ଭାବନାରେ ନିଜକୁ ହଜାଇ ଦେଉଥିଲେ । ସାରଦା ପ୍ରସାଦ ରାୟ ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ପାଠ ପଢାର ଡୋରି ଲଗାଇ ବ୍ରିଟିଶ ବିରୋଧରେ ଲଢେଇ କରିବା ପାଇଁ ସଂଗ୍ରାମୀ କମଳା ପ୍ରସାଦ କର,ଅନିରୁଦ୍ଧ ମହାନ୍ତି,ବାସୁଦେବପୁର ଗାନ୍ଧୀ ଗୌରାଙ୍ଗ ମହାନ୍ତି,ଗଣେଷ ଚନ୍ଦ୍ର ତ୍ରିପାଠୀ,ଡଃ. ହରେକୃଷ୍ଣ ମହତାବଙ୍କ ନେତେୃତ୍ୱରେ ସ୍ୱାଧିନତା ସଂଗ୍ରାମରେ ସାମିଲି ହୋଇଥିଲେ ।
ଇରମ ମେଳନ ପଡିଆରେ ବ୍ରିଟିଶମାନଙ୍କ ବିରୋଧରେ ସଭା କରିବା ପାଇଁ ସଂଗ୍ରାମୀମାନେ ଏକତ୍ରିତ ହୋଇଥିଲେ । ଏହି ସଭାରେ ଥିଲେ ସାରଦା ପ୍ରସାଦ ରାୟ । ସେହି ମେଳନ ପଡିଆ ଗୁଳି କାଣ୍ଡରେ ୨୯ ଜଣ ଶହୀଦ ହୋଇଥିଲେ । ପଦ୍ମପୁର ଠାରେ ବିଟ୍ରିଶ ବିରୋଧରେ ସଭା କରୁଥିବା ବେଳେ ଇଂରେଜଙ୍କ ହାତରେ ଧରା ପଡି ଦେଢ ବର୍ଷ ଜେଲ ଭୋଗିବାକୁ ପଡିଥିଲା । ତାଙ୍କୁ ବାଲେଶ୍ୱର ଜେଲରେ ରଖିବା ପରେ ପରେ ତାଙ୍କୁ ବିହାର ଜେଲକୁ ସ୍ଥାନାନ୍ତରିତ କରିଥିଲେ । ଇଂରେଜମାନଙ୍କୁ ହଟାଇବା ପାଇଁ ଅକଥନୀୟ ନିର୍ଯ୍ୟାତନାର ଶିକାର ହେବାକୁ ପଡିଛି । ଦେଶ ସ୍ୱାଧିନ ହେବା ପରେ ସାରଦା ପ୍ରସାଦ ରାୟ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ,ବାସୁଦେବପୁର ବ୍ଲକର କାନ୍ଥିସାହି ଓ ବାଲେଶ୍ୱର ଜିଲ୍ଲାର ବାଡୁଳି ସ୍କୁଲରେ ଶିକ୍ଷକତା କରିଥିଲେ ।
ସ୍ୱାଧିନତା ସଂଗ୍ରମାୀ ସାରଦା ପ୍ରସାଦ ରାୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭତ୍ତା ପାଉଥିଲେ । ୨୦୨୧ ମସିହାରେ କ୍ରାନ୍ତି ଦିବସ ଅବସରରେ ଭାରତଛାଡ ଆନ୍ଦୋଳନର ଅନ୍ୟତମ ସାରଥି ଭଦ୍ରକ ଜିଲ୍ଲାର ଆରୁହା ଗ୍ରାମର ସାରଦା ପ୍ରସାଦ ରାୟ ରାଷ୍ଟ୍ରପତି ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ସମ୍ବର୍ଦ୍ଧିତ ହୋଇଥିଲେ । ସେତେବଳେ କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତି ଭବନ ବଦଳରେ ସ୍ୱାଧିନତା ସଂଗ୍ରାମୀଙ୍କ ଘରେ ତତକିାଳୀନ ଜିଲ୍ଲାପାଳ ଜ୍ଞାନ ଦାସ ସଂଗ୍ରାମୀଙ୍କ ଘରେ ପହଞ୍ଚି ସମ୍ବର୍ଦ୍ଧିତ କରିଥିଲେ । ବୟସର ଅପରାହ୍ନରେ ସଂଗ୍ରାମୀ ସାରଦା ପ୍ରସାଦ ରାୟ ବଞ୍ଚିବା ପାଇଁ ଜୀବନ ଯୁଦ୍ଧରେ ଲଢେଇ କରି କ୍ଲାନ୍ତ ହୋଇ ଚିର ନିଦ୍ରାରେ ଧରିତ୍ରୀ ମାତାଙ୍କ କୋଳରେ ସବୁଦିନ ପାଇଁ ଶୋଇ ଯାଇଛନ୍ତି । ମୃତ୍ୟୁ ସମୟରେ ପୁଅ,ବୋହୂ,ନାତି,ଝିଅ, ନାତୁଣୀ ଉପସ୍ଥିତ ଥିଲୋ ତାଙ୍କ ବିୟୋଗରେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର,ତହସିଲଦାର ଅନିତା ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ, ଥାନା ଅଧିକାରୀ ଅମିତ୍ କୁମାର ଭୂୟାଁ ପ୍ରମୁଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି ।
