ଭୁବନେଶ୍ୱର,(ନି.ପ୍ର): ପାଣିମିଟର ଚୋରି କରିଥିବା ଅଭିଯୋଗରେ ବଡ଼ଗଡ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବଡ଼ଗଡ ହରିଜନସାହିର ସୁଦର୍ଶନ ଗୋଚ୍ଛାୟତ(୨୨) । ତାଙ୍କ ଠାରୁ ୬ଟି ପାଣିମିଟର ଜବତ ହୋଇଛି । ଏ ନେଇ ପୁଲିସ କେସ୍ ନଂ ୧୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ରବିବାର ଅଭିଯୋଗକାରୀ ବଡଗଡ ଥାନାରେ ଅଭିଯୋଗ କରିଥିଲେ ଯେ, କେହି ଜଣେ ତାଙ୍କ ଘରୁ ଗୋଟିଏ ପାଣିମିଟର ଚୋରି କରିବା ସହ ଆଖପାଖ ଘରର ୫ଟି ପାଣି ମିଟର ଚୋରି କରିନେଇଛି । ବଡଗଡ ପୋଲିସ ଉପରୋକ୍ତ ମାମଲାର ତଦନ୍ତ କରୁଥିଲେ । ସୋମବାର ବଡଗଡ ଉଚ୍ଚ ବିଦ୍ୟାଳୟ ପାଖରେ ସୁଦର୍ଶନ କିଛି ଜିନିଷ ଗୋଟିଏ ବ୍ୟାଗରେ ସନେ୍ଦହଜନକ ଅବସ୍ଥାରେ ନେଇଯାଉଥିବାବେଳେ ତାକୁ ପୁଲିସ ଅଟକାଇଥିଲେ । ସେହି ବ୍ୟାଗର ତଲାସି ନେବାବେଳେ ସେଥିରୁ ୬ଟି କୋଣାର୍କ ମାର୍କା ପାଣିମିଟର ମିଳିଥିଲା । ଏହାପରେ ପୋଲିସ ଅଭିଯୁକ୍ତଙ୍କଠାରୁ ସେହି ପାଣି ମିଟର ସବୁ ଜବତ କରିଥିଲା । ଅଭିଯୁକ୍ତ ବିଏମସି ଦ୍ୱାରା ସମସ୍ତଙ୍କ ଘର ପାଣି ପାଇପ୍ରେ ଲଗାଯାଉଥିବା ପାଣିମିଟର ଗୁଡିକ ଚୋରି କରି ନେଇ କବାଡିଆକୁ ୧୦୦ ବା ୨୦୦ ଟଙ୍କାରେ ବିକ୍ରି କରିଥାଏ ବୋଲି ପୁଲିସ ଜେରା ବେଳେ ସ୍ୱିକାର କରିଛନ୍ତି । ସେ ରହୁଥିବା ହରିଜନସାହିର ପ୍ରଦୀପ ନାୟକଙ୍କ ଘରର ପାଣିମିଟର ଚୋରି ମାମଲାରେ ତାଙ୍କର ସମ୍ପୃକ୍ତି ଅଛି ବୋଲି ତଦନ୍ତ ସମୟରେ ଜଣାପଡ଼ିଛି ।