Odisha news

ଟ୍ରାଫିକ୍ ନିୟମ ହେବ କଡାକଡି ସମସ୍ୟା ପରଖିଲେ ଡିସିପି

ବାମ ପାଶ୍ୱର୍ ରାସ୍ତା ଅବରୋଧ କଲେ ଫାଇନ୍ , ମାନନ୍ତୁ ଜେବ୍ରା କ୍ରସିଂ

0

ଭୁବନେଶ୍ୱର,(ନି.ପ୍ର): ଟ୍ୱିନ୍ସିଟି ଟ୍ରାଫିକ ଡ଼ିସିପି ଏସ୍. ସୁଶ୍ରୀ ଶୁକ୍ରବାର ରାସ୍ତାକୁ ଓହ୍ଲାଇ ଟ୍ରାଫିକ ବ୍ୟବସ୍ଥା ପରଖିଛନ୍ତି । ରାଜଧାନୀର ୪ଟି ଛକ ଯଥା, ଏଜି ଛକ, କିଟ୍ ଛକ, ନାଲକୋ ଛକ, ମାଷ୍ଟରକ୍ୟାଣ୍ଟିନ ଛକୁ ଯାଇ ଯାଞ୍ଚ କରିଛନ୍ତି । ବ୍ୟବସ୍ଥାରେ କେଉଁଠି ଅସୁବିଧା ରହିଛି, କେଉଁ ଉପକରଣ ଆବଶ୍ୟକ, ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ରାସ୍ତାରେ ଯାଉଥିବା ଲୋକଙ୍କୁ ନିୟମ ମାନିବାକୁ ସଚେତନ କରାଇଛନ୍ତି । ଆଗାମୀ ଦିନରେ ଲେଫ୍ଟ ଫ୍ରି’ ନିୟମକୁ କଡ଼ାକଡ଼ି କରାଯିବ । ଏଥିସହ ଜେବ୍ରା କ୍ରସିଂର ନବୀକରଣ ହେବ ବୋଲି ଡ଼ିସିପି କହିଛନ୍ତି । ତେଣୁ ଜନସାଧାରଣ ଏହି ନିୟମକୁ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ନଚେତ୍ ପ୍ରଥମ ପର୍ଯ୍ୟାୟରେ ୫୦୦ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି ।

ଶୁକ୍ରବାର ପୂର୍ବାହ୍ନରେ ଡ଼ିସିପି ସୁଶ୍ରୀ ଏଜି ଛକକୁ ଯାଇଥିଲେ । ତାଙ୍କ ସହ ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ଓ ଟ୍ରାଫିକ ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ । ଏଜି ଛକର ଟ୍ରାଫିକ ବ୍ୟବସ୍ଥାକୁ ଦେଖି ସେଠାରେ କିଛି ନୂଆ ଉପକରଣ ଲଗାଇବା ପାଇଁ ଡ଼ିସିପି ଯୋଜନା କରିଥିବା ଜଣାପଡ଼ିଛି । ସେହିପରି ବିଭିନ୍ନ ଟ୍ରାଫିକ ଛକରେ ଜେବ୍ରା କ୍ରସିଂ ଲିଭିଯାଇଛି । ତେଣୁ ସେଗୁଡ଼ିକ ରଙ୍ଗ ବା ନବୀକରଣ କରିବା ପାଇଁ ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ସହ ଯୋଗାଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ଧାରା ୨୮ ଅନୁସାରେ, ଏଣିକି ରାଜଧାନୀର ଟ୍ରାଫିକ ପୋଷ୍ଟ ନିକଟରେ ପାଦଚଲା ରାସ୍ତାକୁ ଲାଗିକି ଥିବା ବାମପାଶ୍ୱର୍ ରାସ୍ତାରେ ତଥା ଫ୍ରି-ଲେଫ୍ଟରେ କୌଣସି ଗାଡ଼ି ଛିଡ଼ା ହୋଇପାରିବେ ନାହିଁ । କେବଳ ମଝି ରାସ୍ତାରେ ଛିଡ଼ା ହୋଇ ସିଗନାଲ୍କୁ ଅପେକ୍ଷା କରିବେ । ଟ୍ରାଫିକ୍ ପୋଷ୍ଟରେ ଯାନବାହନ ପୁରା ରାସ୍ତା କଭର୍ କରି ଛିଡ଼ା ହେଉଛନ୍ତି । ଯାହାଫଳରେ ବାମପଟକୁ ଯିବାକୁ ଚାହୁଁଥିବା ଲୋକମାନେ ଅଟକି ରହୁଛନ୍ତି । ସିଗନାଲ୍ ବାମପଟକୁ ଯିବାକୁ ସୂଚନା ଦେଇଥିଲେ ବି ଗାଡ଼ିମୋଟର ଜାମ ଯୋଗୁ ସେମାନେ ଆଗକୁ ବଢ଼ିପାରୁନାହାନ୍ତି । ଏହି ରାସ୍ତା ଜରୁରିକାଳିନ ଯାନବାହନ ଯଥା ଆମ୍ବୁଲାନ୍ସ, ଫାୟାର ଓ ପୋଲିସ ଗାଡ଼ି ପାଇଁ ସବୁବେଳେ ଖାଲି ରହିବ ବୋଲି ସୂଚନା ମିଳିଛି ।

Ad2
Leave A Reply