ଭୁବନେଶ୍ୱର,(ନି.ପ୍ର): କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ଚଢ଼ାଉ କରି ଜଣେ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଜିଲ୍ଲା ରେମାଳ ଥାନା ଅନ୍ତର୍ଗତ ବରଘାଟ ଅଞ୍ଚଳର ମଦନ କୁମାର ଜୟପୁରା । ତାଙ୍କ ଠାରୁ ଗୋଟିଏ ବାଘଛାଲ, ଗୋଟିଏ ହାତୀଦାନ୍ତ, ୧କିଲୋ ୭୭୦ଗ୍ରାମର ବଜ୍ରକାପ୍ତା କାତି ଜବତ ହୋଇଛି । ଗିରଫ ପରେ ଏସ୍ଟିଏଫ୍ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଦେଇଛି । ପରେ ତାଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଦେବଗଡ଼ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ବେଆଇନ ବନ୍ୟପ୍ରାଣୀ ଶିକାର ହେଉଛି । ଏଥିସହ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ହେଉଥିବା ଏସ୍ଟିଏଫ୍ ଖବର ପାଇଥିଲା । ଏ ନେଇ ଗୁରୁବାର ରାତିରେ ଏସ୍ଟିଏଫ୍ ଏବଂ ଦେବଗଡ଼ ବନ ବିଭାଗ ମିଳିତ ଭାବେ ତିଳେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବରଘାଟ ଗ୍ରାମରେ ଚଢ଼ଉ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିବାରୁ ସେ ବନ୍ୟପ୍ରାଣୀ ଶିକାର କରୁଥିବା ସ୍ୱୀକାର କରିଛନ୍ତି । ଏହି ଘଟଣା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ବନ ବିଭାଗ ତଦନ୍ତ ଜାରି ରଖିଛି ।
