ଗୋଷ୍ଠୀ ସଂଘର୍ଷରେ ୧ ମୃତ ଏବଂ ୪ ଆହତ : ବୈଶିଙ୍ଗା ଥାନାରେ ୧୨ ଅଟକ
କଳମାଠୁ ଜଙ୍ଖରାଇ ପର୍ଯ୍ୟନ୍ତ ୧୪୪ ଧାରା ଜାରି ,ଶାନ୍ତି ଫେରାଇ ଆଣିବା ପାଇଁ ଦୁଇ ବିଜେଡ଼ି ବିଧାୟକ , ପୋଲିସ ଓ ପ୍ରଶାସନର ପ୍ରୟାସ ଜାରି
ବୈଶିଙ୍ଗା–୨୬/୧୨ : ବୈଶିଙ୍ଗା ଥାନା ଅଧୀନ କଳମା ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ବାଲେଶ୍ଵର ଜିଲ୍ଲା ଚଷାଖଣ୍ଡ ଗ୍ରାମପଞ୍ଚାୟତ ଅଧୀନ ଜଙ୍ଖରାଇ ଗ୍ରାମ ର କିଛି ବ୍ୟକ୍ତିଙ୍କ ମଧ୍ୟରେ ଶନିବାର ସଂନ୍ଧ୍ୟାରେ ଝଗଡାକୁ ନେଇ ଗୋଷ୍ଠୀ ସଂଘର୍ଷ ରୂପ ନେଇଥିଲା।ଏଥିରେ ପ୍ରତିପକ୍ଷ ସେଖ ଜିଲାନିଙ୍କୁ କଟକ ବଡ ମେଡିକାଲକୁ ନେଇଯାଉଥିବା ବାଟରେ ମୃତ୍ୟୁ ହୋଇଯାଇଥିଲା।ଏହି ଘଟଣାକୁ ନେଇ ଦଙ୍ଗା ଆଶଙ୍କା କରି ଉଭୟ ଜିଲ୍ଲାର ପୋଲିସ ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଥିବାର ଜଣାଯାଇଛି।
ସୂଚନା ଅନୁଯାୟୀ ପଣସିଆ ଛକରେ ଏକ ଓଲ୍ଡିଂ ଦୋକାନ କରିଥିବା କଳମା ପଞ୍ଚାୟତ ଗୋବିନ୍ଦରାୟପୁର ଗ୍ରାମର ସେକ୍ ରେଫାକତ୍ ଖାଁ ଶନିବାର ସନ୍ଧ୍ୟାରେ ନିଜ ବନ୍ଧୁ ସେକ୍ ୱାସିମ୍ଙ୍କ ସହ ବୁଲେଟ୍ ମଟର ସାଇକେଲରେ ଦୋକାନକୁ ଆସୁଥିଲେ। ପଛରେ ଏକ ଅଟୋରେ ତାଙ୍କ ଓଲ୍ଡିଂ ସାମଗ୍ରୀ ଲୋଡ୍ କରି ଏକ ଅଟୋ ଆସୁଥିଲା। କଳମା ପଶ୍ଚିମା ଠାକୁରାଣୀଙ୍କ ପାଖ ରାସ୍ତା ଉପରେ ଏକ ବଡ଼ ହମ୍ପ୍ସ ଥିବାରୁ ସେଠାରେ ଅଟୋ ପାର୍ ହେବାରେ ସମସ୍ୟା ହୋଇଥିଲା। ଏହାକୁ ନେଇ ସେକ୍ ରେଫାକତ୍ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ତେବେ ସେହି ସ୍ଥାନରେ ଠିଆ ହୋଇଥିବା କଳମା ଗ୍ରାମର ମନୋରଞ୍ଜନ ଜେନାଙ୍କ ପୁଅ ସରୋଜ ଓ ତାଙ୍କର ୭/୮ ଜଣ ବନ୍ଧୁ ଏହାକୁ ବିରୋଧ କରିଥିଲେ। ପୂର୍ବରୁ ଏହି ଦୁଇ ଜଣଙ୍କ ଭିତରେ ଶତ୍ରୁତା ଥିବାରୁ ସାମାନ୍ୟ ବଚସା ସଂଘର୍ଷର ରୂପ ନେଇଥିଲା। ଏହି ସଂଘର୍ଷରେ ସେକ୍ ରେଫାକତ୍ ଓ ତାଙ୍କ ବନ୍ଧୁ ୱାସିମ୍ ଆହତ ହୋଇଥିଲେ। ରେଫାକତ୍ଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇ ପାଖ ଛକରେ ଟେଲର୍ ଦୋକାନ କରିଥିବା ଜଙ୍ଖରାଇ ଗ୍ରାମର ସେକ୍ ଜିଲାନି (୪୩) ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ହେଲେ ସେ ବି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ।
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେକ୍ ଜିଲାନିଙ୍କୁ ଏକ ନାଳ ଭିତରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଜିଲାନିଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ପରେ ପରେ ବାଲେଶ୍ଵର ରୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ସଂଘର୍ଷରେ ଆହତ ଅନ୍ୟ ଦୁଇ ଆହତ ରେଫାକତ୍ ଓ ୱାସିମ୍ଙ୍କୁ ବାଲେଶ୍ଵର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। କଟକ ସ୍ଥାନାନ୍ତର ହେଉଥିବା ବାଟରେ ଗୁରୁତର ଆହତ ଜିଲାନିଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା। ଜିଲାନିଙ୍କ ମୃତ୍ୟୁ ଖବର ପାଇ ଗୋବିନ୍ଦରାୟପୁର, ଜଙ୍ଖରାଇ ଓ ଆଖପାଖ ଗ୍ରାମରୁ ଶତାଧିକ ମୁସଲିମ୍ ଯୁବକ ମାରଣାସ୍ତ୍ର ଧରି କଳମା ଛକରେ ପହଞ୍ଚିଥିଲେ। ସେପଟେ କଳମା ଓ ଆଖପାଖ ଗ୍ରାମରୁ ୩ ଶହରୁ ଅଧିକ ଯୁବକ ମଧ୍ୟ ସେଠାରେ ଠୁଳ ହୋଇଥିଲେ। ଉଭୟ ପକ୍ଷଙ୍କ ସଂଘର୍ଷ ଭିତରେ ସରୋଜ ଗୁରୁତର ଆହତ ହୋଇଥିବାବେଳେ ଭଙ୍ଗାରୁଜାରେ କଳମା ଛକରେ ଥିବା ଦୁଇଟି ଦୋକାନ ଘର ମାଟିରେ ମିଶିଯାଇଛି। ପରିସ୍ଥିତି ଅଣାୟତ୍ତ ହେବା ଦେଖି ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ବେତନଟୀ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାଶ, ବେତନଟୀ ଥାନା ଆଇଆଇସି ରେଣୁବାଳା ସାହୁ, ରାସଗୋବିନ୍ଦପୁର ଆଇଆଇସି ଲୋପାମୁଦ୍ରା ନାୟକ, ବଡ଼ସାହି ଥାନା ଓଆଇସି, ବାଲେଶ୍ବର ସଦର ଥାନା ଆଇଆଇସି ଅଶୋକ ନାୟକ, ସଦର ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀଙ୍କ ସମେତ ଚାରି ପ୍ଲାଟୁନ୍ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ବର ଏସ୍ପି ସୁଧାଂଶୁ ଖେଖର ମିଶ୍ର, ଅତିରିକ୍ତ ଏସ୍ପି ଗୋବିନ୍ଦ ସେଠୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳଠାରୁ ୫ କିମି ପରିଧି ଭିତରେ ବିଭିନ୍ନ ସମ୍ପ୍ରଦାୟର ଗାଁ ଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ଅଧିକ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା।
ଆଜି ରବିବାର ପୂର୍ବାହ୍ନରେ ଜିଲାନିର ମରଶରୀର ବ୍ୟବଚ୍ଛ୍ଯେଦ ହୋଇ ଆସିବା ପୂର୍ବରୁ ଉଦଳା ଉପଖଣ୍ଡ ଥାନା ଅଧିକାରୀ ସାର୍ଥକ ରାୟ, ବାରିପଦା ସଦର ଉପଖଣ୍ଡ ଥାନା ଅଧିକାରୀ ଏ.କେ. ହରିପ୍ରସାଦ , ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ମୟୂରଭଞ୍ଜ ଏସ.ପି.ଖିଲାରି ରିଶିକେଶ ଧ୍ୟାନଦେଓ, ବାଲେଶ୍ଵର ଏସ.ପି. ସୁଦ୍ଧାଂଶୁ ଶେଖର ମିଶ୍ର ତଥା ବିଜେଡିର ରେମୁଣା ବିଧାୟକ ସୁଦ୍ଧାଂଶୁ ଶେଖର ପରିଡା ଓ ବାଲେଶ୍ଵର ସଦର ବିଧାୟକ ସ୍ଵରୂପ ଦାସ ମିଳିତ ଭାବେ ଶାନ୍ତି ପ୍ରୟାସ ଜାରି ରଖାଯାଇଥିବା ଜଣାଯାଇଛି। ଏଥିପାଇଁ ଆଜି ଆଉ ୬ ପ୍ଲାଟୁନ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା। ଜିଲାନୀର ମୃତ ଶରୀର ଆସିବା ପରେ ରୀତିନୀତି ଅନୁସାରେ କବର ଖାନାରେ କବର ଦିଆଯାଇଥିଲା। ଉକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ବୈଶିଙ୍ଗା ଥାନାରେ ୩୭୧/୨୧ ମୂଳେ ମାମଲା ରୁଜୁ କରାଯିବା ସହିତ ୧୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ସେହି ଅଞ୍ଚଳ ଗୁଡ଼ିକରେ ୧୪୪ ଧାରା ବଳବତ୍ତର ରହିଛି। ଘଟଣାର ଅନୁଧ୍ୟାନ କରିବା ପାଇଁ ପୋଲିସ ସାଇଣ୍ଟିଫିକ ଟିମ କୁକୁର ସହିତ ଆସି ସରଜମିନ ତଦନ୍ତ କରିଥିବା ଜଣା ଯାଇଛି। ମାଜିଷ୍ଟ୍ରେଟ ଭାବେ ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡା ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଏହି ଗ୍ରାମଗୁଡିକରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ପ୍ରଶାସନକୁ ସାଧାରଣ ଲୋକଙ୍କ ତରଫରୁ ଅନୁରୋଧ କରାଯାଇଛି।