ଵ୍ରହ୍ମପୁର, ୨୬/୧୨- ଜଣେ ଯୁବକଙ୍କୁ ଗୁଳିମାଡ କରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ଗୋଷଣୀନୂଆଗାଁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଶିବରାମ ପାଳ(୩୪) ବୋଲି ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଘଟଣାରେ ବ୍ୟବହୃତ ହୋଇଥିବା ଏକ ବନ୍ଧୁକ ମଧ୍ୟ ଜବତ କରିଥିବା କହିଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ପୋଲିସ ତଦନ୍ତରେ ଜଣାପଡ଼ିଛି। ଗୁଳିମାଡ଼ ଘଟଣାରେ ସଚିନ ଚୌଧୁରୀ ଓରଫ୍ ରିଙ୍କୁ ନାମକ ଜଣେ ଯୁବକ ଆହତ ହୋଇଥିଲେ। ସଚିନଙ୍କ ମା’ ଗୌରୀ ଚୌଧୁରୀଙ୍କ ଅଭିଯୋଗ କ୍ରମେ ଗୋଷଣୀନୂଆଗାଁ ଥାନା ପୋଲିସ କେସ୍ ନମ୍ବର ୧୬୮/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶେଷରେ ଅଭିଯୁକ୍ତ ଶିବରାମଙ୍କୁ ୨୫ ଦିନ ପରେ ପୋଲିସ ଗିରଫ କରିଛି। ସୂଚନା ଯୋଗ୍ୟ ଯେ, ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିରେ ସଚିନ ତାଙ୍କର ମା’ ଓ ଭଉଣୀଙ୍କ ସହିତ ରହୁଥିଲେ। କିଛିମାସ ହେଲା ସେ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଗ୍ରାମକୁ ଚାଲି ଯାଇଥିଲେ। ସେଠାରେ ସେ ପରିବା ବ୍ୟବସାୟ କରୁଛନ୍ତି। ପୂର୍ବରୁ ଶିବରାମ ମଧ୍ୟ ସାଳିଆବନ୍ଧ ସାହିରେ ରହୁଥିଲେ। ଗତ ୨୦୧୬ରେ ସଚିନ ଓ ଶିବରାମଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସଚିନ ଏକ ମାରଣାସ୍ତ୍ରରେ ଶିବରାମକୁ ଆକ୍ରମଣ କରିଥିଲା। ଏହାପରେ ଶିବରାମ ବଡ଼ବଜାର ଥାନା ଲକ୍ଷ୍ମୀନୃସିଂହ ସାହିକୁ ଚାଲି ଯାଇଥିଲେ। ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଗତ ୧ତାରିଖ ସକାଳେ ସାଳିଆବନ୍ଧ ସାହିରେ ଵ୍ରହ୍ମପୁର ମହାନଗର ନିଗମ(ବିଏମ୍ସି )ପକ୍ଷରୁ ଜବରଦଲଖ ଉଚ୍ଛେଦ ଚାଲିଥିଲା। ସେଠାରେ ସଚିନଙ୍କ ଘର ଥିଲା। ଏହାର ଖବର ପାଇ ସଚିନ ଅପରାହ୍ନରେ ସେଠାରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ମା’ ଓ ଭଉଣୀଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ଶିବରାମ ସେଠାରେ ପହଞ୍ଚି ସଚିନ ଉପରକୁ ଗୁଳିମାଡ଼ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।