Odisha news

ଦାରିଙ୍ଗବାଡି ବ୍ଳକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ବନ୍ଦ ଡାକରା, ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ…

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଆଜି ବିଭିନ୍ନ ଦାବି ପୂରଣ ନେଇ ବନ୍ଦ ଡାକରା ଦେଇଛନ୍ତି । ଦାରିଙ୍ଗବାଡ଼ି ବନ୍ଦ ଡାକରାରେ ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ ରହିଛି । ତିନି ଛକ, ଚାରିଛକରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ଯାତ୍ରୀବାହୀ ବସ ,ଜିପ ଓ ମାଲଗାଡ଼ି ବନ୍ଦ କରିବା ଫଳରେ ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା  । ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରାଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମିରେ ଗୃହ ନିର୍ମାଣ କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ସମେତ ଜନପ୍ରତିନିଧି ମାନେ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଆମରଣ ଅନଶନରେ ବସିଥିଲେ ।

ଜିଲ୍ଲା ପ୍ରଶାସନ ଏହା ଜାଣିବା ପରେ ଉକ୍ତ ଦିନ ରାତ୍ର ୨ ଘଣ୍ଟା ସମୟରେ ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ ବ୍ଲକ ଅଧକ୍ଷାଙ୍କୁ ଫୋନ ଯୋଗେ ଅଭିଯୋଗ ଉପରେ ତଦନ୍ତ କରିବା ସହ ଅକ୍ଟୋବର ୨ ତାରିଖ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବଦଳି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଶାସନ ୨ ତାରିଖ ମଧ୍ୟରେ ବଦଳି କରିବା ନେଇ କଥା ଦେଇଥିଲେ ସୁଦ୍ଧା ୪ ତାରିଖ ହୋଇ ଗଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଗଲାନାହିଁ । ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ବଦଳି କରାଗଲା ନାହିଁ କି ସରକାରୀ ଜମିରେ ହୋଇଥିବା ଘର ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଏଣୁ ଯଦି ଆସନ୍ତା ୧୦ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତାହାଲେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ କରାଯିବା ନେଇ ଲିଖିତ ଭାବେ ଘୋଷଣା କରିଥିଲେ । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦିଆଯିବା ସହ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ କୌଶିକ ମାଝୀ ପୋଲିସ ଫୋର୍ସ ବିଭିନ୍ନ ଛକରେ ମୁତୟନ କରି ସଜାଗ ରହିଥିବା ଦେଖିବାକୁ ମିଳିଛି ।

Nalco

Comments are closed.