Odisha news

ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା କୁ ବର୍ଷେ ପୁରିଲା, ହେଲେ ଜଣା ପଡିଲାନି ଅସଲି ନକଲି, ତଦନ୍ତ ପ୍ରକ୍ରିୟା ରେ ଶିଥିଳତା

ନୂଆପଡା- ୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ରେ ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା ର ବର୍ଷେ ପରେ ବି ଅସଲି ନକଲି ଚିହ୍ନଟ ହୋଇପାରିନଥିବା ବେଳେ ସିନାପାଲି ଶିକ୍ଷା ବିଭାଗ ଓ ଜିଲା ଶିକ୍ଷା ବିଭାଗ ର ଛତ୍ରଛାୟା ତଳେ ନକଲି ଶିକ୍ଷକ ମାନେ ରହିଥିବା ସାଧାରଣ ରେ ଅଭିଯୋଗ ହେଉଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ସିନାପାଲି ବ୍ଲକ ରେ ୨୦୨୦ ମସିହା ଜୁଲାଇ ମାସ ୨୩ ରୁ ୨୬ ତାରିଖ ମଧ୍ୟରେ ସିନାପାଲି ବ୍ଲକ୍ ଶିକ୍ଷକ ମାନଙ୍କ ଶିକ୍ଷାଗତ ଓ ବୃତ୍ତିଗତ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ସିନାପାଲି ର ପ୍ରାୟ ୩୦୦ ଜଣ ଶିକ୍ଷକ ଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ନକଲି ଶିକ୍ଷକ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବରଂ ଶିକ୍ଷା ବିଭାଗ ସୁରକ୍ଷା ଦେଉଥିବା ଜନସାଧାରଣ ରେ ବେଶ୍ ଚର୍ଚ୍ଚା ହେଉଛି। ଶିକ୍ଷକ ମାନେ ଶିକ୍ଷଗତ ପ୍ରମାଣ ପତ୍ର ର ସମସ୍ତ ତଥ୍ୟ ସତ ନା ମିଛ ଜାଣିବା ପାଇଁ ସଂପୁକ୍ତ ବୋର୍ଡ଼ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଶ୍ୱ ବିଦ୍ୟାଳୟ ରୁ ତଥ୍ୟ ମଗାଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରଯାଇଥିଲା। ହେଲେ ଏହି ତଥ୍ୟ ମାଗିବା ପରେ ମଧ୍ୟ ଅସଲି ଓ ନକଲି ଚିହ୍ନଟ କରିବାରେ ଏତେ ବିଳମ୍ବ କିପରି ହେଉଛି ତାହା ସଚେତନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଠାରେ ସୂଚନଯୋଗ୍ୟଯେ, ରାଜ୍ୟରେ ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା ର ସାତ ଦିନ ମଧ୍ୟରେ ଅନ୍ୟ ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ ହୋଇ ନକଲି ଶିକ୍ଷକ ମାନଙ୍କ ପର୍ଦ୍ଦାଫାଶ ହୋଇ କାର୍ଯ୍ୟାନୁଷ୍ଠାନ ହୋଇ ବିଦା ହୋଇ ସାରିଥିବା ବେଳେ ଏଠାରେ ବ୍ୟତିକ୍ରମ ଦେଖାଯାଇଛି। ଫଳରେ ବିଭାଗୀୟ ଅଧିକାରୀ ଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ସିନାପାଲି ବ୍ଲକ ରେ ବହୁ ନକଲି ଶିକ୍ଷକ ଜାଲ ପ୍ରମାଣ ପତ୍ର ଆଣି ଚାକିରି କରୁଥିବା ବହୁ ଦିନରୁ ଅଭିଯୋଗ ହୋଇ ଆସୁଛି। ଅନେକ ଶିକ୍ଷକ କିଣା ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ବେଳେ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ସମେତ ବାହାର ରାଜ୍ୟରୁ ପ୍ରମାଣ ପତ୍ର ଆଣି ଶିକ୍ଷା ବିଭାଗ ଛତ୍ର ଛାୟା ତଳେ ସୁରକ୍ଷିତ ରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସରକାର ଶିକ୍ଷା ବିଭାଗ କୁ ଅବାଧ ଓ ସ୍ୱଚ୍ଛ ରଖିବା ପାଇଁ ପୁଣି ଥରେ ଯାଞ୍ଚ ପ୍ରକ୍ରିୟା କୁ କଡ଼ା କଡି କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ପ୍ରକୃତରେ ଶିକ୍ଷା ବିଭାଗ ଉକ୍ତ ବିଷୟକୁ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରୁଛି କି ନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଠାରେ ସୂଚନଯୋଗ୍ୟଯେ, ଗତ ୨୦୨୦ ମସିହାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ବେଳେ ସିନାପାଲି ଅଞ୍ଚଳ ଖବର ନାମକ ଏକ ସୋସିଆଲ ମିଡିଆ ଗ୍ରୁପ ରେ ନକଲି ଶିକ୍ଷକ ଙ୍କୁ ବଞ୍ଚାଇବା ପାଇଁ 4ଲକ୍ଷ ଟଙ୍କା ମୂଳ ଚାଲ ହୋଇଥିବା ଘଟଣା ଗ୍ରୁପ ରେ ଚର୍ଚା ହୋଇଥିବା ଦେଖିବାକୁ ମିଳିଥିଲା। ସେତେବେଳେ ଅନେକ ଖବର କାଗଜରେ ମଧ୍ଯ ପ୍ରକାଶ ପାଇଥିଲା।

ନୂଆପଡ଼ା ଉପ ଜିଲ୍ଲାପାଳ ତରଣୀସେନ ନାଏକ ଘଟଣା ର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ କହିଥିଲେ ହେଲେ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ଏହି ପ୍ରକ୍ରିୟା କ୍ଷେତ୍ର ରେ ପରୀକ୍ଷା ରେକିଂ କାର୍ଡ, ଆଡମିଟ କାର୍ଡ, କେବେ ନାମ ଲେଖାଇଲେ, ଆଡ଼ମିଶନ ନକଲ କପି, ଆଡ଼ମିଶନ କ୍ରମିକ ସଂଖ୍ୟା କେତେ, କେବେ ଏଣ୍ଟ୍ରାନସ ଦେଲେ, ଷ୍ଟଡି ସେଣ୍ଟର କେଉଁ ଟା, କେତେ ତାରିଖ ରୁ କେତେ ତାରିଖ ପର୍ଯ୍ୟନ୍ତ ୱାର୍କସପ୍ କଲେ, ପରୀକ୍ଷା କେନ୍ଦ୍ର କେଉଁ ଟା ଥିଲା, ପରୀକ୍ଷା କେବେ ଦେଲେ, ଫଳା ଫଳ କେବେ ଘୋଷଣା ହେଲା ଏ ସବୁର ସବିଶେଷ ତଥ୍ୟ ମଗା ଯାଇ ତଦନ୍ତ ଆରମ୍ଭ କରାଗଲେ ନକଲି ଶିକ୍ଷକ ଧରାପଡ଼ିବା ନିଶ୍ଚିତ ବୋଲି ବୁଦ୍ଧଜୀବୀ ମହଲ ରେ ମତ ପ୍ରକାଶ ପାଇଛି। ସିନାପାଲି ବ୍ଲକ ରେ ଏକ୍ସ କ୍ୟାଡ଼ର ସହକାରୀ ଶିକ୍ଷକ, ଶିକ୍ଷା ସହାୟକ, ଗଣ ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକ ବି ଏ ବି ଇ ଡି ଶିକ୍ଷକ ଙ୍କୁ ମିଶାଇ ୩୭୧ ଜଣ ରହି ଥିବା ବେଳେ ଅନେକ ଓଟିଇଟି ସାର୍ଟି ଫିକେଟ ଜାଲ ଥିବା ମଧ୍ୟ ଅଭିଯୋଗ ହୋଇଛି। ସିନାପାଲି ବ୍ଲକ ନୂଆପଡା ଜିଲ୍ଲାର ଉଦାହରଣ ମାତ୍ର ଏଭଳି ଆଉ ଜିଲ୍ଲାର ଚାରି ଗୋଟି ବ୍ଲକରେ କେତେ ଯେ ନକଲି ଶିକ୍ଷକ ରହିଥିବେ ତାହା ତଦନ୍ତ ସାପେକ୍ଷ ତେବେ ଶିକ୍ଷା ବିଭାଗ ତଦନ୍ତରେ କେତେଦୁର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।

Comments are closed.