ବାରିପଦା : ଶନିବାର ଅପରାହ୍ନରେ ବାରିପଦା ସହରରେ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷା ହେବାରୁ ସହରର ବିଭିନ୍ନ ୱାର୍ଡରେ ଡ୍ରେନେଜ୍ ପାଣି ଘର ଭିତରେ ପଶିଥିବାବେଳେ ଜଣେ ବାଇକ୍ ଚାଳକ ପୋଲରେ ପାର୍ ହେଉଥିବା ସମୟରେ ବାଇକ୍ ସହ ନିଖୋଜ ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ହଠାତ୍ ପ୍ରବଳ ବର୍ଷା ହେବାରୁ ବାରିପଦା ସହରର ବାଘରାରୋଡ ୱାର୍ଡ ନମ୍ବର ୧୭ ଅଞ୍ଚଳ ଦେଇ ଯାଇଥିବା ଶୁକଯୋଡା ପୋଲ ଉପରେ ଦୃତଗତିରେ ପାଣି ଚାଲିଥିଲା । ଏହି ସମୟରେ ଜଣେ ଯୁବକ ପୋଲ ପାର କରୁଥିବାବେଳେ ଏହି ବଢିପାଣିରେ ବାଇକ୍ ସହ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଏବଂ ପ୍ରଶାସନ ପକ୍ଷରୁ ଯୁବକଙ୍କୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ଶନିମନ୍ଦିର ନିକଟସ୍ଥ ନଦୀ ପାଖରୁ ତାଙ୍କର ବାଇକ୍ ମିଳିଥିବାବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା ନିଖୋଜ ଯୁବକଙ୍କର ପତ୍ତା ମିଳିନଥିଲା । ଅପରପକ୍ଷରେ ଏହି ବର୍ଷା ଫଳରେ ବାରିପଦା ସହରର ୱାର୍ଡ ନମ୍ବର ୭ ଓ ୮ ବଗିଚାସାହି ଅଞ୍ଚଳରେ ଡ୍ରେନେଜ୍ ପାଣି ଓ ବର୍ଷାପାଣି ଲୋକମାନଙ୍କ ଘରେ ପଶିଯାଇଥିଲା ।
ସେହିପରି ୱାର୍ଡ ନମ୍ବର ୨୩ ମହାନ୍ତସାହିରେ ମଧ୍ୟରେ ଲୋକମାନଙ୍କ ଘରେ ପାଣି ପଶି ଯାଇଥିଲା । ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ବାରମ୍ବାର ବାରିପଦା ପୌରପରିଷଦକୁ ଏହାର ପ୍ରତିକାର ପାଇଁ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ୭ ଓ ୮ ନମ୍ବର ୱାର୍ଡର ସାଧାରଣ ଲୋକମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ ବାରିପଦା ପୌରପରିଷଦ ପକ୍ଷରୁ ସହରକୁ ସବୁଜ ସୁନ୍ଦର ଭାବରେ ଗଢି ତୋଳିବା ସହ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି ବୋଲି ଡିଣ୍ଡିମ୍ବ ପିଟୁଥିବାବେଳେ ସହର ମଧ୍ୟରେ ଘରମାନଙ୍କରେ ପାଣି ପଶି ଯିବାର ନଗ୍ନୋ ଚିତ୍ର ବାସ୍ତବରେ ପୌରପରିଷଦର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ସୃଷ୍ଟି କରିଛି । ଏଥିସହ ବାରିପଦା ପୌରପରିଷଦ ପକ୍ଷରୁ ସାଧାରଣ ଲୋକମାନଙ୍କ ନିମନ୍ତେ ଜନହିତକର ଯୋଜନା ଉପରେ ଯୋଜନା ଘୋଷଣା କରାଯାଉଥିଲେ ମଧ୍ୟ ଜନହିତକର ଯୋଜନା କେତେ ସଫଳ ହୋଇପାରିଛି ତାହା ବାସ୍ତବରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.