Odisha news

ବିଜେପିର ରାଜ୍ୟ ସ୍ତରୀୟ ପୌରାଂଚଳ କମିଟି ବୈଠକ , ପୌର ନିର୍ବାଚନ ନହେବା କାରଣରୁ ସହରାଂଚଳର ବିକାଶ ବାଧାପ୍ରାପ୍ତ :କେ.ଭି ସିଂହଦେଓ

 କେନ୍ଦ୍ରୀୟ ଅର୍ଥ ଦଳୀୟ ଆଧାରରେ ହରିଲୁଟ୍ କରୁଛନ୍ତି ରାଜ୍ୟ ସରକାର
 ବସ୍ତି ବାସିନ୍ଦାର ଗରିବ ଜନସାଧାରଣ ମୌଳିକ ସୁବିଧା ପାଇବାରୁ ବଂଚିତ
ଭୁବନେଶ୍ୱର, ତା.୦୧/୦୮: ଦୀର୍ଘ ୩ ବର୍ଷ ଧରି ନିର୍ବାଚନ ହୋଇନଥିବା କାରଣରୁ ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି । ଏବେ ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁ ବଂଚିତ ରହୁଛନ୍ତି । କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି । ରାଜ୍ୟର ୧୧୪ ଟି ଏନଏସି ଏବଂ ୬ଟି ମହାନଗର ନିଗମରେ ସ୍ଥିତି ବେହାଲ ହୋଇଛି । ନାଳ ନର୍ଦ୍ଦମା ସଫା ହେଉନଥିବା କାରଣରୁ ରାଜଧାନୀରେ ଡେଙ୍ଗୁ ରୋଗ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଡେଙ୍ଗୁ ରୋଗ ନିରାକରଣ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ପୌର ନିର୍ବାଚନ ହୋଇ ନଥିବାରୁ ସହରାଂଚଳ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଦେଖାଦେଇଛି । ଆଗାମୀ ଦିନରେ ପୌରାଚଂଳରେ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ଉଠାଇବା ସହ ତୃଣମୂଳସ୍ତରରେ ବିଜେପିର ସଙ୍ଗଠନକୁ ମଜବୁତ୍ କରିବା ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ପୌରାଚଂଳ କମିଟି ବୈଠକରେ ଆଲୋଚନା ହୋଇଥିଲା ।
ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧୀମାନେ ନିର୍ବାଚନ ଲଢିଥାନ୍ତି । କିନ୍ତୁ ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ । ମୁ୍ୟନିସିପାଲିଟି ମାନଙ୍କରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଅଣଦେଖା କରାହେଉଛି । କେନ୍ଦ୍ର ସରକାରଙ୍କ ଅନୁଦାନକ୍ରମେ ସହରାଂଚଳରେ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଦଳୀୟ ଭିତିରେ ବଂଟନ କରି ବ୍ୟାପକ ଘୋଟାଲା କରୁଛନ୍ତି । ସେହିପରି ସହରାଂଚଳ ବିକାଶ ଓ ଭିତିଭୂମି ବଢାଇବା ପାଇଁ ସହରରେ ଆଲୋକିକରଣ, ସୌନ୍ଦର୍ଯ୍ୟକରଣ, ନାଳ ନର୍ଦ୍ଦର୍ମା ଏବଂ ରାସ୍ତାର ଉନ୍ନତି କରଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନର ସଠିକ୍ ବିନିଯୋଗ ହୋଇପାରୁ ନାହିଁ । ନଳ ଯୋଗେ ବିଶୁଦ୍ଧ ପାଣି ଯୋଗାଣରେ ବି ରାଜ୍ୟ ସରକାର କୌଣସି ତପ୍ତରତା ଦେଖାଉ ନାହାଁନ୍ତି । ପଂଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିବା ରାଜ୍ୟ ସରକାର କାହିଁକି ପୌର ନିର୍ବାଚନ କରୁନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ପଂଚଦଶ ଅର୍ଥ କମିଶନ ଅନୁଯାୟୀ ସହରାଚଂଳ ଓ ଗ୍ରାମଚଂଳର ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି । ପୌରାଚଂଳ ନିର୍ବାଚନ ହେଉନଥିବାରୁ ବିକାଶମୂଳକ କାର୍ଯ୍ୟ ପାଇଁ ଆସୁଥିବା କେନ୍ଦ୍ରୀୟ ଅର୍ଥକୁ ସରକାରୀ ଅଧିକାରୀମାନେ ହଡପ କରୁଛନ୍ତି । ଆଗାମୀ ଦିନରେ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଲୋକଙ୍କ ସମସ୍ୟାରେ ଭାଗିଦାରୀ ହେବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୋଦି ସରକାର ବୁଲା ବିକାଳୀ, ଗରିବ, ଭିକାରୀ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ପଠାଇଥିବା ଅନୁଦାନକୁ ରାଜ୍ୟ ସରକାର ହଡପ କରିଛନ୍ତି । ଐତିହାସିକ ସ୍ୱଚ୍ଛତା ମିଶନରେ କେନ୍ଦ୍ର ସରକାର ସହରାଂଚଳକୁ ପଠାଇଥିବା ପାଇଖାନା ଆବଂଟନରେ ବ୍ୟାପକ ଅନିୟମିତତା ହୋଇଛି । ରାଜ୍ୟ ସରକାର ସହରାଂଚଳରେ କୌଣସି ବିକାଶ ମୂଳକ କାର୍ଯ୍ୟ ନକରି ପ୍ରତିବର୍ଷ ମନଇଚ୍ଛା ହୋଲଡିଙ୍ଗ ଟ୍ୟାକ୍ସ ବୃଦ୍ଧି କରି ସହରାଂଚଳ ବାସିନ୍ଦାଙ୍କୁ ଶୋଷଣ କରୁଛନ୍ତି । ଆଗାମୀ ଦିନରେ ଏହାକୁ ବିରୋଧ କରାଯିବ । ପୌର ନିର୍ବାଚନ ଶୀଘ୍ର କରାଇବା ନେଇ ରାଜ୍ୟପାଳଙ୍କୁ ଭେଟିବ ବିଜେପି । ଅତୀତ ନିର୍ବାଚନରୁ ଜଣାପଡିଛି ଯେ, ବିଜେଡି ସହ କଂଗ୍ରେସ ମିଶିଯାଇଛି । ଆଗାମୀ ପୌର ନିର୍ବାଚନ ବିଜେଡି ଓ ବିଜେପି ମଧ୍ୟରେ ହେବ । ଗୋଟିଏ ଦିନରେ ରାଜ୍ୟର ସମସ୍ତ ସ୍ଥାନରେ ପୌର ନିର୍ବାଚନ କରାଯାଉ ବୋଲି ଶ୍ରୀ ସିଂହଦେଓ ଦାବି କରିିଛନ୍ତି ।
ପ୍ରତିକୂଳ ପରିସ୍ଥିତିରେ ପୌର ନିର୍ବାଚନ ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ । ପୌର ନିର୍ବାଚନ ପାଇଁ ସ୍ଥାନୀୟ ନେତୃବୃନ୍ଦ ଆଗକୁ ଆସି ବିଭିନ୍ନ ଦାୟିତ୍ୱ ନେଇ କାର୍ଯ୍ୟ କରିବେ । ୱାର୍ଡକୁ ୱାର୍ଡ ବୁଲି ପଦଯାତ୍ରା କରି ଲୋକଙ୍କ ସହ ଯୋଡି ହେବା ଓ ସେବା ହିଁ ସଙ୍ଗଠନକୁ ଆଧାର କରି ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟାକୁ ଉଠାଇବା ପାଇଁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି ।
ସମ୍ଭାବନାକୁ ସୁଯୋଗରେ ପରିଣତ କରି ସକାରତ୍ମକ ଭାବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଶ୍ରୀମତୀ ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି । ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ସହ ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରତିବାଦ କରାଯିବ ବୋଲି ବିଜେପି ନେତୃବୃନ୍ଦ ଆଲୋଚନା କରିଥିଲେ ।
ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ପୌରାଚଂଳ କମିଟିର ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ନୟନ କିଶୋର ମହାନ୍ତି, ବିନୋଦ ଦାଶ, ଜୀବନ ପ୍ରଦୀପ ଦାସ, ପ୍ରକାଶ ବେହେରା, ଦିଲୀପ ମହାନ୍ତି, ନିହାର ରାୟ,ସୁନୀଲ ଶର୍ମା, ଉର୍ମିଳା ମହାପାତ୍ର, ତିରୁପତି ନାୟକ, ଜଗନ୍ନାଥ ପ୍ରଧାନ, ସୀମାଂଚଳ ଖଟେଇ, ଦିଲୀପ ମିଶ୍ରଙ୍କ ସହ ସଂପୂର୍ଣ୍ଣ ରାଜ୍ୟ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.