Odisha news

ଓଡ଼ିଶାର କ୍ରୀଡ଼ା ଜଗତରେ ବାରବାଟୀ ଷ୍ଟାଡିୟମ

0

ଶେଖ୍ ଫରିଦ୍ଉଦ୍ଦିନ୍ହ : ଜାର ବର୍ଷର ସହର ଭାବେ ପରିଚିତ ଗୌରବାମହ କଟକ । କଟକର ପ୍ରାଚୀନ ଐତିହ୍ୟ ଓ ଅତୀତର ଐତିହାସିକ ସ୍ମରଣୀୟ ସ୍ମୃତି ମନେପଡ଼ିଲେ ସର୍ବାଗ୍ରେ ଆସିବ ବାରବାଟୀ ଷ୍ଟାଡିୟମ । ଓଡ଼ିଶାର କ୍ରୀଡ଼ା ଜଗତରେ ବାରବାଟୀ ଷ୍ଟାଡିୟମର ସ୍ଥାନ ସ୍ୱତନ୍ତ୍ର । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବାରବାଟୀ ଷ୍ଟାଡିୟମର ସୁନାମ ସର୍ବଜନ ବିଦିତ । ବାରବାଟୀ ଷ୍ଟାଡିୟମର କାହାଣୀ ଆଲୋଚନାବେଳେ ମନେପଡ଼ୁଛି ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ପ୍ରାକ୍ ସ୍ୱାଧୀନତା ସମୟରେ ଓଡ଼ିଶା ଅଲିମ୍ପିକ ସଂଘ ଗଠନ ପାଇଁ ବିଚାର କରାଯାଇଥିଲା । ତେବେ ୧୯୪୭ ମସିହାରେ ସ୍ୱାଧୀନତା ମିଳିବା ପରେ କ୍ରୀଡ଼ାର ଛବି ସଂପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ଛୋଟ ବଡ଼ ପ୍ରଦେଶମାନେ ଏକାଠି ହୋଇ ଗୋଟିଏ ରାଜ୍ୟରେ ପରିଣତ ହେଲେ ଓ ଉଚ୍ଚ ନୀଚ୍ଚର ତାରତମ୍ୟ ଦୂର ହୋଇଥିଲା । ସେବେଠାରୁ ଓଡ଼ିଶାର କ୍ରୀଡ଼ାକୁ ନିୟନ୍ତ୍ରଣ କରିବା ଓ ଜାତୀୟ ପ୍ରତିଯୋଗିତାରେ ଦଳମାନଙ୍କୁ ଅଂଶ ଗ୍ରହଣ କରିବାକୁ ପଠାଇବା ପାଇଁ ଅଲିମ୍ପିକ ସଂଘ ଉପରେ ଦାୟିତ୍ୱ ରଖାଯାଇଥିଲା । ୧୯୫୦ରେ ଯେତେବେଳେ ବମ୍ବେରେ ଜାତୀୟ କ୍ରୀଡ଼ା ଆୟୋଜନ ହୋଇଥିଲା ସେତେବେଳେ ଓଡ଼ିଶାରୁ ଏନ୍.ସି.ଦାସ ପ୍ରଥମ କ୍ରୀଡ଼ାବିତ୍ ଭାବେ ସ୍ୱର୍ଣ୍ଣପଦକ ପାଇଥିଲେ । ଏହାଦ୍ୱାରା ରାଜ୍ୟ କ୍ରୀଡ଼ା ଦୁନିଆକୁ କେବଳ ଉତ୍ସାହ ମିଳିନଥିଲା ବରଂ କ୍ରୀଡ଼ାଠୁ ଦୂରେଇ ଯାଇଥିବା ଲୋକଙ୍କ ଆଖି ଖୋଲି ଦେଇଥିଲା ।

ଖେଳାଳିମାନଙ୍କୁ ଅଭ୍ୟାସ କରିବା ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ଦେବା ଏବଂ ପ୍ରତିଯୋଗିତା ଆୟୋଜନ ପାଇଁ ଷ୍ଟାଡିୟମର ଆବଶ୍ୟକତା ଉପରେ ବାରମ୍ବାର ଆଲୋଚନା ହୋଇଥିଲା । ଯାହାର ଫଳସ୍ୱରୂପ ୧୯୫୦ ମସିହା ବେଳକୁ ରାଜ୍ୟ ସରକାର ଜମି ଯୋଗାଇ ଦେବାରୁ ବାରବାଟୀ ଷ୍ଟାଡିୟମର ନିର୍ମାଣ ଆରମ୍ଭ ହୋଇଥିଲା । ସେତେବେଳେ ଓଡ଼ିଶା ଅଲିମ୍ପିକ ସଂଘ ଦେଶରେ ଏକମାତ୍ର ସଂଘ ଭାବରେ ନିଜସ୍ୱ ଷ୍ଟାଡିୟମ ନିର୍ମାଣ କରିଥିଲା । ମାତ୍ର ୧ ଟଙ୍କାର ଲଟେରି (ବାରବାଟୀ ରାଫେଲ) ମାଧ୍ୟମରେ ଷ୍ଟାଡିୟମର ଇଟା ଯୋଡ଼ା ଯାଇଥିଲା । ଆରମ୍ଭରୁ ଷ୍ଟାଡିୟମ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ପରେ ଷ୍ଟାଡିୟମର ବିଭିନ୍ନ ଘର ଭଡ଼ାରେ ଦିଆଯିବାରୁ ସେଥିରୁ ଆୟ ଆରମ୍ଭ ହୋଇଥିଲା । ଏହି ଅର୍ଥକୁ ଷ୍ଟାଡିୟମ ମରାମତି, ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ କ୍ରୀଡ଼ା ସଂଘଙ୍କୁ ଅନୁଦାନ ଦେଇବାରେ ବ୍ୟବହାର ହୋଇଆସୁଛି । ଅଲିମ୍ପିକ ସଂଘ ଭାରତରେ ଏକମାତ୍ର ସଂଘ ଭାବେ ଏହାର ରାଜ୍ୟସ୍ତରୀୟ କ୍ରୀଡ଼ା ସଂଘମାନଙ୍କୁ ଅନୁଦାନ ଦେଇଆସୁଛି ।

ଷ୍ଟାଡିୟମ ନିର୍ମାଣ ହେବା ପରଠୁ ଏଠାରେ ୧୯୫୮ ଓ ୧୯୭୦ ମସିହାରେ ଦୁଇଥର ଜାତୀୟ କ୍ରୀଡ଼ା ଆୟୋଜନ ହୋଇଛି । ଫ୍ଲାଇଂ ଶିଖ୍ ମିଲ୍ଖା ସିଂହ ୧୯୫୮ରେ ଏଠାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ପରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରିକେଟ ପ୍ରତିଯୋଗିତା ଆୟୋଜନ କରି ବାରବାଟୀ ଷ୍ଟାଡିୟମ ଏହାର ସୁନାମ ବଢ଼ାଇଥିଲା । ତେବେ ୧୯୫୦ରୁ ୧୯୯୦ ମସିହା ସମୟକୁ ଓଡ଼ିଶା କ୍ରୀଡ଼ା ଇତିହାସର ସ୍ୱର୍ଣ୍ଣିମ ସମୟ ଓ ବାରବାଟୀ ଷ୍ଟାଡିୟମ ଏହାର କେନ୍ଦ୍ର ବୋଲି କୁହାଯାଉଛି । ଏହି ସମୟ ମଧ୍ୟରେ ମହିଳା ସାଇକେଲ ଚାଳନାକାରୀ ମିନତୀ ମହାପାତ୍ର ଅର୍ଜ୍ଜୁନ ପୁରସ୍କାର ପାଇଥିଲେ । ହକିରେ ୧୯୭୯ରେ ଓଡ଼ିଶା ଜାତୀୟ ପ୍ରତିଯୋଗିତାରେ ସେମି ଫାଇନାଲରେ ପ୍ରବେଶ କରିଥିଲା । ଦୌଡ଼କୁଦ କ୍ଷେତ୍ରରେ ମଧ୍ୟ ଅନେକ ମହିଳା କ୍ରୀଡ଼ାବିତ୍ ଏଠାରେ ଅଭ୍ୟାସ କରି ଜାତୀୟସ୍ତରରେ ନାଁ କମେଇଥିଲେ ।

ସେମାନଙ୍କ ମଧ୍ୟରେ ଉଷାରାଣୀ ମିଶ୍ର, ରଚିତା ପଣ୍ଡା, ମିନତୀ ମିଶ୍ର, ଅନୁରାଧା ବିଶ୍ୱାଳ, ସୁଷମା ବେହେରା ଅନ୍ୟତମ ଥିଲେ । ଉଷାରାଣୀଙ୍କ ୧୯୭୭ ମସିହାରେ ଜାତୀୟ ଉଚ୍ଚଡିଅାଁ କୀର୍ତ୍ତିମାନ ୧୯୯୧ ମସିହା ପର୍ଯ୍ୟନ୍ତ କାଏମ ରହିଥିଲା । ରଚିତା ୧୦୦ ମିଟର ଦୌଡ଼ରେ ତାରକା ପାଲଟି ଯାଇଥିଲାବେଳେ ଅର୍ଜ୍ଜୁନ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ । ଏସୀୟ କ୍ରୀଡ଼ା ଓ ଅଲିମ୍ପିକ କ୍ରୀଡ଼ାରେ ସେ ଅଂଶଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ । ମିନତୀ ମିଶ୍ର ଓ ଅନୁରାଧା ବିଶ୍ୱାଳ ଉଭୟ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହୋଇଥିଲେ । ଏଭଳି ଅନେକ କ୍ରୀଡ଼ାବିତ୍ ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇଗଲେଣି । ଓଡ଼ିଶାର କ୍ରୀଡ଼ା ଜଗତରେ ସୁନାମର ଗୌରବ ତାରକାର ମାନ୍ୟତା ପାଇଥିବା କ୍ରୀଡ଼ାବିତ୍ମାନେ ବାରବାଟୀ ଷ୍ଟାଡିୟମରେ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟର ପ୍ରାରମ୍ଭିକ ଜୀବନ ଅତିବାହିତ କରିଛନ୍ତି । ଏହି ଷ୍ଟାଡିୟମ କହିବାକୁଗଲେ ସେମାନଙ୍କ ପାଇଁ ଗର୍ବ ଓ ଗୌରବର ଐତିହ୍ୟ କ୍ଷେତ୍ର ।

Govt
Leave A Reply