Odisha news

ପିପିଲି ଏନଏସି ଅଂଚଳରେ ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

 ପିପିଲି-ଡେଲାଙ୍ଗ ରାଜ୍ୟର ଗୋଟିଏ ପୂରୁଣା ବିଜ୍ଞାପିତ ଅଂଚଳର ହୋଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରି ନାହିଁ
 ଶୀତଳ ଭଣ୍ଡାରର ଅଭାବ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି

ଭୁବନେଶ୍ୱର,ପିପିଲି-ଡେଲାଙ୍ଗ, ତା.୦୫/୦୪: ହିଂସା ଓ ଭୟର ଭାବମୂର୍ତୀକୁ ବଦଳାଇ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳକୁ ବିକାଶର ଏକ ମଡେଲ ଭାବେ ଗଢି ତୋଳିବାକୁ ମୁଁ ବଦ୍ଧ ପରିକର ଏବଂ ରାଜ୍ୟର ଏକ ନମ୍ବର ନିର୍ବାଚନ କ୍ଷେତ୍ର ଭାବେ ଗଢି ତୋଳିବାକୁ ମୁଁ ପ୍ରତିଶୃତିବଦ୍ଧ । ପିପିଲିବାସୀଙ୍କ ପ୍ରତ୍ୟେକଟି ସୁଖ ଦୁଃଖରେ ଛିଡା ହୋଇ ସେମାନଙ୍କ ସମସ୍ୟାର ସମାଧାନ କରିବା ନେଇ ବିଭିନ୍ନ କାର୍ଯ୍ୟ କରିବି । ଏହି କାର୍ଯ୍ୟ କରିବା ପାଇଁ ମୁଁ ଅନ୍ୟମାନଙ୍କ ଭଳି ଠକିବି ନାହିଁ କି ପିପିଲି-ଡେଲାଙ୍ଗବାସୀଙ୍କ ସେବାରେ ଥକିବି ନାହିଁ ବୋଲି ଆଜି ପିପିଲି ବିଜ୍ଞାପିତ ଅଂଚଳର ବିଭିନ୍ନ ୱାର୍ଡ ପ୍ରଚାର କରିବା ସମୟରେ ପିପିଲି ବିଜେପି ପ୍ରାର୍ଥୀ ଶ୍ରୀ ଆଶ୍ରିତ ପଟ୍ଟନାୟକ ନିର୍ଭର ପ୍ରତିଶୃତି ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ ଆଜି ପିପିଲି ବିଜ୍ଞାପିତ ଅଂଚଳର ବିଭିନ୍ନ ୱାର୍ଡକୁ ଯାଇ ପ୍ରଚାର କରିଥିଲେ ।ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକଙ୍କୁ ବିପୁଳ ସମର୍ଥନ ଜଣାଇ ଅଂଚଳବାସୀ ସ୍ୱାଗତ କରିଥିଲେ । ପିପିଲି-ଡେଲାଙ୍ଗ ରାଜ୍ୟର ଗୋଟିଏ ପୂରୁଣା ବିଜ୍ଞାପିତ ଅଂଚଳର ହୋଇଥିବା ସତ୍ୱେ ବର୍ତମାନ ସୁଦ୍ଧା ଗୋଟିଏ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରି ନାହିଁ । ଏହି ଅଂଚଳ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବା ସତ୍ୱେ ଶୀତଳ ଭଣ୍ଡାରର ଅଭାବ, ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡା ହୋଇଛି ।

୩୫ ବର୍ଷ ନିରବିଚ୍ଛିନ୍ନ ଲୋକ ପ୍ରତିନିଧି ଶାସକ ବିଜେଡିର ହୋଇଥିବା ସତ୍ୱେ ଏହି ସମସ୍ତ ସମସ୍ୟାର ସମାଧାନ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଂଟିଆ, ଓମ୍ ପ୍ରକାଶ ମିଶ୍ର, ସ୍ଥାନୀୟ ନେତୃବୃନ୍ଦ ରାମଚନ୍ଦ୍ର ମହାପାତ୍ର, ଆଲେ ଜାହିର ଖାନ୍, ଦେବାଶିଷ ଦିକ୍ଷିତ, ସଦାଶିବ ପରିଡା, ଜିତେନ୍ଦ୍ର ମହାରଣା, ପ୍ରଶାନ୍ତ ଦିକ୍ଷିତ ପ୍ରମୁଖଙ୍କ ସହ ଶହ ଶହ କାର୍ଯ୍ୟକର୍ତା ସାମିଲ ଥିଲେ ।

Nalco

Comments are closed.