Odisha news

6ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ : ପ୍ରଥମ ସନ୍ଧ୍ୟାରେ ଆଖି ଭିଜେଇଲା ନାଟକ”ବାଂଝ”

0

ବ୍ରହ୍ମପୁର–ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ 16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଶନିବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦଘାଟିତ ହୋଇଯାଇଛି । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ  କରିଥିଲେ । ଏହି ଅବସରରେ  ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳେଇ,ଓଡିଶା କାଜୁ ନିଗମ ଅଧକ୍ଷ ସୁବାସ ମହାରଣା,ଗଞ୍ଜାମ ଜିଲ୍ଲା ହୋଟେଲ ସଂଘ ସଭାପତି ଉମା ପାଣିଗ୍ରାହୀ ପ୍ରମୁଖଙ୍କ ସହ ଆୟୋଜକ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ପ୍ରମୂଖ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ ଅତିଥି ଆବାହନ,ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୋଷଧକ୍ଷ  ବିନାୟକ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ନୟାଗଡ଼ ସିରିୟସ ଜୋନ ନାଟ୍ୟସଂସ୍ଥା ତରଫରୁ ପରିବେଷିତ ନାଟକ”ବାଂଝ” ଉପସ୍ଥିତ ଦର୍ଶକଙ୍କ ଆଖିକୁ ଭିଜେଇ ଦେଇଥିଲା । ମାତୃତ୍ୱ କେବଳ ଏକ ପରିପୂର୍ଣ୍ଣ ଜୀବନର ପରିଚୟ ନା ସାମାଜିକ ସ୍ବୀକୃତି ! ଏକ ସମର୍ପଣ ନା ସହାନୁଭୂତି ! ଏକ ଅସହାୟତା ନା ଆବେଗ ! ଗତିଶୀଳ ଜୀବନ ଭିତରେ ନାରୀଟିଏ ପ୍ରବାହମାନ ସ୍ରୋତ । ଜୀବନର ଦୁଃଖ,ସୁଖ,ଆଶା, ଅବଶୋଷ,କାମନା,ଆକାଂକ୍ଷା,ପ୍ରାପ୍ତି,ଅପ୍ରାପ୍ତି ସବୁକୁ ସମାହିତ କରି ବହିଯିବାରେ ଥାଏ ତାର ଆନନ୍ଦ ।ସାହସ ଓ ଅସୀମ ଧୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ନାରୀ ।ସେଥିପାଇଁ ଜୀବନର ଗତିଶୀଳତା ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟରେ ପରିପୂର୍ଣ୍ଣ ସେ । ସାମାଜିକ ବ୍ୟବସ୍ଥା କେବେକେବେ ମଣିଷକୁ ଅସହାୟ କରିଦିଏ ।ସାମାଜିକ ବ୍ୟବସ୍ଥା ଯୋଉଠି ଅଟକିଯାଏ ସେଇଠି ନାରୀହିଁ ପ୍ରଥମେ ଆଲୋଚନାର ଶରବ୍ୟ ହୁଏ । ସାମାଜିକ ରୀତିନୀତି ବ୍ୟବସ୍ଥା ,ବିଚାରବୋଧ ଧର୍ମୀ ନାଟକ “ବାଂଝ” ଏଭଳି କିଛି ସୁନ୍ଦର ବାର୍ତ୍ତା ଦେଇ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା । ଅଜୟ ମହାପାତ୍ର ଙ୍କ ଏହି ଗପକୁ କୈଳାସ ଓଝା ନାଟ୍ୟରୁପ ଦେଇଥିବା  ବେଳେ ଯାମିନିକାନ୍ତ ମିଶ୍ର ନିର୍ଦ୍ଦେଶନା ଦେଇଛନ୍ତି । ସଂଗୀତରେ ରାଜେଶ ପଣ୍ଡା ରହିଥିବା ବେଳେ ପ୍ରଶାନ୍ତ ସାମନ୍ତରାୟ ସହନିର୍ଦ୍ଦେଶନା ତୁଲାଇଛନ୍ତି । ନାଟକରେ ମୁକୁନ୍ଦ,କୁମୁଦିନି,ଅଭିନାଶ,ସ୍ୱାଗତ,ଦୀନବନ୍ଧୁ,ବାଳକୃଷ୍ନ୍ତ,ସୀମା,ସମ୍ପଦ,ସୁନନ୍ଦା ପ୍ରମୁଖ ନିଖୁଣ ଅଭିନୟ କରିଥିଲେ । 25 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ବ୍ୟାପୀ ହେବାକୁ ଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଏହି ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍ଘାଟନୀ ଦିବସର ପ୍ରଥମ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ରାଜକିଶୋର ପାଢ଼ୀ,ଭବାନୀ ଶଙ୍କର ମିଶ୍ର, ଜୟନ୍ତୀ ମିଶ୍ର,ଉପସଭାପତି ଡ଼. ସନ୍ୟାସୀ ମହାରଣା,କୈଳାସ ପାଣିଗ୍ରାହୀ,ସାଙ୍ଗଠନିକ ସାମ୍ପଦକ ଶଙ୍କର୍ଷଣ ସାବତ ,ସହ-ସମ୍ପାଦିକା ଆରତୀ ପାତ୍ର,ଉମେଶ ଚୌଧୁରୀ, ସରୋଜ ପଣ୍ଡା,ସତ୍ୟବ୍ରତ ଦାସ,ଗୋପାଳ କୃଷ୍ଣ ପାଣିଗ୍ରାହୀ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ନାଟକ ଶେଷରେ ନାଟକ ସମ୍ପର୍କିତ ପ୍ରଶ୍ନର ସଠିକ ଉତ୍ତର ଦେଇଥିବା ଦର୍ଶକଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ଓ ରଶ୍ମିତା ସାମଲ ସଂଯୋଜନା ଓ ପରିଚାଳନା କରିଥିଲେ ।

IEC 2 years
Leave A Reply