ଡ଼ ପ୍ରତିଭା ମହାରଥୀ : ୧୯୪୭ ମସିହା ଅଗଷ୍ଟ “ପନ୍ଦର’ ତାରିଖରେ ପବିତ୍ର ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେଲା । ତା ପରଠାରୁ ଆମେ ସ୍ୱାଧୀନ ଭାରତବାସୀ ବୋଲି ସଗର୍ବେ କହିପାରୁଛେ । ଇତିହାସରେ କାଳକାଳକୁ ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇ ରହିଥିବା ଏହି ଅଗଷ୍ଟ ପନ୍ଦର ତାରିଖଟି । ଇଂରାଜୀ ଶବ୍ଦ ‘ଇଙ୍କଶଙ୍କଗ୍ଦଗ୍ଧ’ର ଅର୍ଥ ହେଲା ଗରିମାମୟ । ବାସ୍ତବରେ ଭାରତୀୟମାନେ ଏହି ଦିବସରେ ନୀଳ ଆକାଶକୁ ଛୁଇଁ ଛୁଇଁ ଉଡ଼ୁଥିବା ଜାତୀୟ ପତାକା ତଳେ ଠିଆ ହୋଇ ସଗର୍ବେ ଛାତି ଫୁଲେଇ ଜାତୀୟ ସଙ୍ଗୀତ “ଜନଗଣ ମନ ଅଧିନାୟକ ଜୟ ହୈ ଭାରତ ଭାଗ୍ୟ ବିଧାତା” ଗାନ କଲାବେଳେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ସଂକୀର୍ଣ୍ଣ ଗଣ୍ଡିରୁ ବାହାରି ଆସି ମହାଭାରତୀୟତାର ଏକ ପ୍ରଚଣ୍ଡ ଦେଶପ୍ରେମରେ ଅବଗାହନ କରନ୍ତି । ଶିରାରେ ଶିରାରେ ପ୍ରବାହିତ ହୁଏ ଏକ ଉଷ୍ଣ ରକ୍ତର ସ୍ରୋତ, ଗୁଞ୍ଜରିତ ହୁଏ ହୃଦୟକନ୍ଦରରେ “ମେରା ଭାରତ ମହାନ୍” ।
ଆବାଳବୃଦ୍ଧବନିତା ଅପେକ୍ଷା କରିଥାନ୍ତି ଏହି ଅଗଷ୍ଟ ପନ୍ଦରକୁ, ସ୍ୱାଧୀନତା ଦିବସକୁ ଅନେକ ଉକ୍ରଣ୍ଠା, ଶ୍ରଦ୍ଧା, ସରାଗ ନେଇ । ରାତି ଅଧରୁ ଡାକବାଜୀ ଯନ୍ତ୍ରରେ ପ୍ରଚାର ପ୍ରସାର ହୁଏ ସୁର, ବୀର, ଶହୀଦମାନଙ୍କର ଗାଥା, ସେମାନଙ୍କର କାହାଣୀ । ଦେଶାତ୍ମବୋଧକ ଗୀତରେ ରୁମ ଟାଙ୍କୁରି ଉଠେ । ଯେତେବେଳେ ସଙ୍ଗୀତ ସାମ୍ରାଜ୍ଞୀ “ଲତା ମଙ୍ଗେସକର’ଙ୍କ କୋକିଳ କଣ୍ଠରୁ ଝରିପଡ଼େ “ୟେ ମେରୀ ବତନ କି ଲୋଗୋ, ଜରା ଅାଁଖ ମେ ଭରଲୋ ପାନୀ” ଆଖିରୁ ନିଗିଡ଼ିପଡ଼େ ତତଲା ଲୁହ ଦୁଇଧାର । “ନହ୍ନା ମୁନ୍ନା ରାହୀହୁଁ ଦେଶ କା ସିପାହୀ ହୁଁ” ଗୀତ ଶୁଣି ସ୍କୁଲର ଛୋଟ ଛୋଟ ପିଲା ଅଭିଳାଷ ରଖନ୍ତି, ବଡ଼ ହୋଇ ବୀର ସୈନିକ ହେବେ, ଦେଶ ପାଇଁ ପ୍ରାଣଦେବେ । ସେହିପରି ଆହୁରି ଅନେକ ମନଛୁଅାଁ ଦେଶାତ୍ମବୋଧକ ଗୀତ ଶୁଣୁଶୁଣୁ ରାତି ପାହିଯାଏ ।
ମନେ ପଡ଼େ ଗାନ୍ଧୀ, ନେହେରୁ, ଶାସ୍ତ୍ରୀ, ଗୋପବନ୍ଧୁ, ସୁବାସଙ୍କ କଥା, ସରୋଜିନୀ ନାଇଡ଼ୁ, ଉଦ୍ଦାମ ସିଂଙ୍କ କଥା । ମନେ ପଡ଼େ ମଧୁବାବୁ, ବିଜୁବାବୁ, ମହତାବଙ୍କ କଥା । ମନେପଡ଼େ ବାଜିରାଉତ ଓ ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ, ବାଘା ଯତୀନ୍, ସରଳା ଦେବୀ, ରମାଦେବୀଙ୍କ କଥା । ମନେପଡ଼େ ଚାଖୀ ଖୁଣ୍ଟିଆ, ରଘୁ ଦିବାକରଙ୍କ କଥା । ଏମିତି ଅସଂଖ୍ୟ ବୀର ଶହୀଦମାନଙ୍କର ଅପୂର୍ବ ବୀରତ୍ୱର ଗୌରବମୟ ଇତିହାସକୁ ଆଜି ଦିବସରେ ସ୍ମରଣ କରାଯାଏ । କୋଟି କୋଟି ପ୍ରଣାମ ଜଣାଏ ଏ ଜାତି, ଯେଉଁମାନେ ହସି ହସି ଲୋଟି ପଡ଼ିଛନ୍ତି ଏ ଧରଣୀ ବକ୍ଷରେ ଆଉ ଆମକୁ ସମର୍ପି ଯାଇଛି ସ୍ୱା-ଧୀ-ନ-ତା । ସେଥିପାଇଁ ଯଥାର୍ଥରେ କୁହାଯାଇଛି ବୀରଭୋଗ୍ୟା ବସୁନ୍ଧରା ।
ନିଜ ଜନ୍ମଭୂମିକୁ କିଏ ବା ଭଲ ନ ପାଏ । ଯାହା ବକ୍ଷରେ ପାଦଥାପି ମଣିଷଟିଏ ଜନ୍ମନିଏ, ଯାହାର ମାଟି, ପାଣି, ପବନରେ ବଡ଼ହୁଏ, ଯାହାର ଫଳମୂଳ ଶସ୍ୟକୁ ଆହାର କରି ଜୀବନ ଧାରଣ କରେ ପରିଶେଷରେ ଯାହା ଉପରେ ବସତି ସ୍ଥାପନ କରି ସୁରକ୍ଷିତ ରହେ ତାକୁ ସୁରକ୍ଷା ଦେବା ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଏହାକୁ କୁହନ୍ତି ଦେଶପ୍ରେମ, ଯାହା ଭିତରକୁ ଝାଙ୍କି ଦେଖିଲେ ଆମେ ଖୋଜି ପାଇବା “ସ୍ୱାଭିମାନ’ ଭଳି ଦରଦଭରା ଶବ୍ଦଟିଏ । ସେଥିପାଇଁ ତ ଶ୍ଳୋକରେ ବର୍ଣ୍ଣିତ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ।”
ଥରେ ଦୁଇଜଣ ରାଜାଙ୍କ ମଧ୍ୟରେ ଜବରଦସ୍ତ ଯୁଦ୍ଧ ହେଲା । ଯୁଦ୍ଧରେ ଜଣେ ରାଜା ଅନ୍ୟ ଜଣଙ୍କ ଉପରେ ବିଜୟପ୍ରାପ୍ତି କରି ପରାଜିତ ରାଜାଙ୍କୁ ବନ୍ଦୀକଲେ । ବିଜୟୀ ରାଜାଙ୍କ ରାଜ୍ୟରେ ପରସ୍ପରଙ୍କୁ ଅଭିନନ୍ଦନ କରି ରାଜମହଲରେ ଖୁସିର ମହୋତ୍ସବ କରାଗଲା । ଇତି ମଧ୍ୟରେ ବିଜୟୀ ରାଜା, ପରାଜିତ ରାଜାଙ୍କୁ ରାଜ ଦରବାରକୁ ଡକାଇଲେ ଏବଂ ପଚାରିଲେ, ରାଜା ତୁମେ ପରାଜିତ ଓ ବନ୍ଦୀ । ଏବେ କୁହ ତୁମ ସହିତ କିପରି ବ୍ୟବହାର କରାଯିବ? ପରାଜିତ ରାଜା ତୁରନ୍ତ ସ୍ୱାଭିମାନର ସହିତ ଉତ୍ତର ଦେଲେ, ଯେମିତି ଜଣେ ରାଜା ଅନ୍ୟ ଜଣେ ରାଜାଙ୍କ ସହିତ ବ୍ୟବହାର କରିଥାଏ । ଉତ୍ତର ଶୁଣି ସମଗ୍ର ରାଜସଭା ସ୍ତବ୍ଧ ହୋଇଗଲା ।
ଉପରୋକ୍ତ କଥାର ଭାବାର୍ଥ, ବ୍ୟକ୍ତି ଯେକୌଣସି ପରିସ୍ଥିତିରେ ପଡ଼ିଥିଲେ ମଧ୍ୟ କାହାର ଦାସତ୍ୱ ସ୍ୱୀକାର କରିବାକୁ ଇଚ୍ଛା କରେନାହିଁ । ପ୍ରତ୍ୟେକଙ୍କ ସଂସ୍କାରରେ ସ୍ୱତନ୍ତ୍ରତା ପ୍ରତିଟି ଲୋମକୂପରେ ପରିପୂର୍ଣ୍ଣ ହୋଇ ରହିଛି । ତେଣୁ ପ୍ରତ୍ୟେକ ଦେଶରେ ସ୍ୱତନ୍ତ୍ରତା ରକ୍ଷା କରିବା ପାଇଁ ଉଚ୍ଚ ନ୍ୟାୟାଳୟମାନ ପ୍ରତିଷ୍ଠା କରାଯାଇଛି, ଯଦ୍ୱାରା ଗରିବ, ଅପାଠୁଆ ଅନୁସୂଚିତ ବର୍ଗର ଲୋକମାନଙ୍କ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ କେହି ଯେପରି ହସ୍ତକ୍ଷେପ କରିବେ ନାହିଁ । ଭାରତକୁ ସ୍ୱତନ୍ତ୍ରତା ଏତେ ବର୍ଷ ହେଲା ମିଳିଥିଲେ ମଧ୍ୟ ପରିଣାମ ଏଭଳି କିଛି ଉତ୍ସାହବର୍ଦ୍ଧକ ହୋଇନାହିଁ ।
ସୁଜଳା ସୁଫଳା ଶସ୍ୟଶ୍ୟାମଳା ମୋର ଭାରତ ଜନନୀ ସାରା ବିଶ୍ୱରେ ଶ୍ରେଷ୍ଠ ସ୍ଥାନ ଅଳଙ୍କୃତ କରିପାରିଛି । କାହିଁ କେତେ କାଳରୁ “କପିଳ ସଂହିତା’ରେ ବର୍ଣ୍ଣିତ ।
“ବର୍ଷାଣାଂ ଭାରତଶ୍ରେଷ୍ଠୋ ଦେଶାଣାମୁକ୍ରଳଶ୍ରୁତଃ
ଉକ୍ରଳସ୍ୟ ସମଦେଶୋ ଦେଶୋ ନାସ୍ତି ମହୀତଳେ ।”
ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ସବୁ ଜାତି ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟର ଲୋକେ ବାସକରନ୍ତି । ସମଗ୍ର ବିଶ୍ୱର ଭାରତ ଏକମାତ୍ର ରାଷ୍ଟ୍ର ଯାହାକୁ ମାତା ବୋଲି ସମ୍ବୋଧନ କରାଯାଏ ।
ଥରେ ଜଣେ ଆମେରିକୀୟ ପର୍ଯ୍ୟଟକ ବିଶ୍ୱର ସୁପ୍ରସିଦ୍ଧ ଚର୍ଚ୍ଚଗୁଡ଼ିକ ବିଷୟରେ ବିବରଣୀ ସଂଗ୍ରହ କରି ଏକ ପୁସ୍ତକ ଲେଖିବାକୁ ସ୍ଥିର କଲେ । ସେ ଚୀନ ଦେଶ ଅଭିମୁଖେ ପ୍ରଥମେ ଯାତ୍ରା କଲେ । ପ୍ରଥମ ଦିନ ହିଁ ସେ ତାଙ୍କ କାର୍ଯ୍ୟକ୍ରମ ରଖି ଚୀନର ସୁପ୍ରସିଦ୍ଧ ଚର୍ଚ୍ଚରେ ପହଞ୍ଚôଲେ । ଚର୍ଚ୍ଚ ଭିତରର ଫଟୋ ଉଠାଇଲା ସମୟରେ ସେ କାନ୍ଥରେ ଟଙ୍ଗା ହୋଇଥିବା ଗୋଟିଏ ସୁନାର ଟେଲିଫୋନ୍ ଦେଖିଲେ । ତା’ ପାଖରେ ଲେଖାଯାଇଛି ପ୍ରତି କଲ୍କୁ ୧୦୦୦ ଡଲାର୍ । ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ସେଠାରେ ଉପସ୍ଥିତ ଥିବା ପି୍ରଷ୍ଟଙ୍କୁ ଡାକି ପଚାରିଲେ ଏହି ଫୋନ୍ରୁ କେଉଁ ସ୍ଥାନକୁ ଫୋନ୍ କରାଯାଏ, ପୁଣି ଏହାର ମୂଲ୍ୟ ଏତେ କାହିଁକି? ପି୍ରଷ୍ଟ ତାଙ୍କୁ ଉତ୍ତର ଦେଲେ – ଏହା ସ୍ୱର୍ଗ ସହିତ କନେକ୍ସନ୍ କରିବାର ଡାଇରେକ୍ଟ ଲାଇନ୍ । ଏହାଦ୍ୱାରା ତୁମେ ଗଡ଼ (ଭଗବାନ)ଙ୍କ ସହିତ କଥାବାର୍ତ୍ତା ହୋଇପାରିବ । ଧନ୍ୟବାଦ କହି ପର୍ଯଟକ ଜଣଙ୍କ ସେଠାରୁ ପ୍ରସ୍ଥାନ କଲେ ।
ତା’ପରେ ସେ ଜାପାନ୍ ଅଭିମୁଖେ ଯାତ୍ରା କଲେ । ସେଠାରେ ଗୋଟିଏ ବିରାଟ ଚର୍ଚ୍ଚକୁ ଗଲେ । ଠିକ୍ ସେହିପରି ଗୋଟିଏ ସୁନାର ଟେଲିଫୋନ୍ ସେଠାରେ ମଧ୍ୟ ଦେଖିଲେ । ଆଶ୍ଚର୍ଯ୍ୟ ହେଲେ ଯେ ଠିକ୍ ଏହିପରି ଗୋଟିଏ ଟେଲିଫୋନ୍ ସେ ଚୀନ୍ରେ ଦେଖିଥିଲେ । ତା’ପରେ ସେ ସେଠାକାର ଜଣେ ନନ୍ଙ୍କୁ ଡାକି ପଚାରିଲେ ଟେଲିଫୋନ୍ଟି ଏଠାରେ ରହିବାର କାରଣ କ’ଣ? ନନ୍ ତାଙ୍କୁ କହିଲେ ଯେ, ଏହା ଭଗବାନଙ୍କ ସହିତ କଥା ହେବାର ଡାଇରେକ୍ଟ ଲାଇନ୍ । ସେଥିପାଇଁ ପ୍ରତି କଲ୍ ପିଛା ୧୦୦୦ ଡଲାର୍ ଲାଗିବ । ତାଙ୍କୁ ଧନ୍ୟବାଦ ଜଣାଇ ପର୍ଯ୍ୟଟକ ଜଣଙ୍କ ଫେରି ଆସିଲେ ।
ତାପରେ ସେ ପାକିସ୍ଥାନ, ଶ୍ରୀଲଙ୍କା, ଜର୍ମାନୀ, ଫ୍ରାନ୍ସ, ଋଷିଆ… ଏପରି ସବୁ ସ୍ଥାନରେ ଚର୍ଚ୍ଚକୁ ଗଲେ । ସବୁଠାରେ ସେ ସେହି ଗୋଟିଏ ପ୍ରକାରର ସୁନାର ଟେଲିଫୋନ୍ ଏବଂ ପ୍ରତି କଲ୍ ୧୦୦୦ ଡଲାର୍ ଲେଖାଥିବାର ଦେଖିଲେ ।
ଏବେ ସେ ଭାରତ ଅଭିମୁଖେ ଯାତ୍ରା କରିବା ପାଇଁ ସ୍ଥିର କଲେ । ଭାରତକୁ ଆସି ସେ ପ୍ରଥମ ଚର୍ଚ୍ଚକୁ ଗଲେ । ସେଠାରେ ମଧ୍ୟ ସେ ସେହିପରି ସୁନାର ଟେଲିଫୋନ୍ ଦେଖିଲେ । ତା ତଳେ ଲେଖାଯାଇଛି ପ୍ରତି କଲ୍ ଏକ ଟଙ୍କା ମାତ୍ର । ସେ ଆଶ୍ଚର୍ଯ୍ୟ ହୋଇ ସେଠାରେ ଥିବା ପ୍ରିଷ୍ଟଙ୍କୁ ପଚାରିଲେ – “ଫାଦର, ମୁଁ ବିଶ୍ୱର ସବୁ ସ୍ଥାନକୁ ଯାଇଛି । ସବୁଠାରେ ଏହିପରି ସୁନାର ଟେଲିଫୋନ୍ ଦେଖିଛି । ପଚାରିଲା ପରେ ଜାଣିବାକୁ ପାଇଛି କି ଏହା ଗଡ଼ (ଭଗବାନ)ଙ୍କ ସହିତ କଥା ହେବାର ଡାଇରେକ୍ଟ ଲାଇନ୍ । କିନ୍ତୁ ସବୁଠାରେ ଏକ ହଜାର ଡଲାର ଲେଖାଯାଇଛି । ଏଠାରେ ମାତ୍ର ଏକ ଟଙ୍କା । ଏତେ ଶସ୍ତା କାହିଁକି? ପି୍ରଷ୍ଟି ଟିକେ ହସି ଉତ୍ତର ଦେଲେ, ତୁମେ ବର୍ତ୍ତମାନ ଭାରତରେ ଅଛ; ପୁଅ, ଏହା ଲୋକାଲ୍ କଲ୍ । ସାରା ବିଶ୍ୱରେ ଏହା ହିଁ ଏକମାତ୍ର ସ୍ୱର୍ଗ ।
କେବଳ ପି୍ରଷ୍ଟଙ୍କ ମାନ୍ୟତା ନୁହେଁ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ । ବିଶ୍ୱ ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଭାରତ ହିଁ ଏପରି ଏକ ଭୂମି ଯାହାର ନାମ ବଡ଼ ଗୌରବର ସହିତ ନିଆଯାଏ । ଏହାତ ଏକ ଅଖଣ୍ଡ, ଅବିନାଶୀ ଭୂଖଣ୍ଡ । କୁହାଯାଏ – “ଯାହାଁ ଡାଲ୍ ଡାଲ୍ ପର ସୋନେ କି ଚିଡ଼ିଆ କରତି ଥି ବସେରା ୱୋ ଭାରତ ଦେଶ୍ ହେ ମେରା…” ଅର୍ଥାତ୍ ସେହି ମୋର ଭାରତ ଭୂମି ଯେଉଁଠାରେ ପ୍ରତ୍ୟେକ ଡାଳରେ ସୁନା ପକ୍ଷୀର ବାସସ୍ଥଳୀ ଥିଲା, ଲକ୍ଷ୍ମୀ ନାରାୟଣଙ୍କ ପରି ସୁସମ୍ପନ୍ନ, ପ୍ରଜାବତ୍ସଳ ରାଜାଙ୍କ ଦ୍ୱାରା ଶାସିତ ଥିଲା, ଯେପରି ରାଜା ସେହିପରି ପ୍ରଜା ସମସ୍ତେ ସୁଗୁଣସମ୍ପନ୍ନ ଥିଲେ, ହୀରା ନୀଳାରେ ମହଲ ସୁସଜ୍ଜିତ ଥିଲା, ଯେଉଁଠାରେ ଦୁଗ୍ଧ ଘୃତର ନଦୀ ପ୍ରବାହିତ ହେଉଥିଲା, ଆତ୍ମିକ ସ୍ନେହର ଉଦାହରଣ ସ୍ୱରପ ବାଘ, ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ, ଯେଉଁଠାରେ ଅହିଂସା ହିଁ ଏକମାତ୍ର ପରମଧର୍ମ ଥିଲା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସୁବାସରେ ଧରା ଭରି ଉଠୁଥିଲା… ଆହୁରି ଅନେକ ବିଶେଷତାରେ ସମ୍ପନ୍ନ ଥିଲା ସୁନାର ଭାରତ ।
କୁହାଯାଏ “ଭାରତସ୍ୟ ପ୍ରତିଷ୍ଠେ ଦ୍ୱେ ସଂସ୍କୃତ ସଂସ୍କୃତିସ୍ତଥା” । ଅର୍ଥାତ୍ ଭାରତବର୍ଷର ପ୍ରତିଷ୍ଠା ପଛରେ ଥିବା ଦୁଇଟି କାରଣ ହେଲା ତାର ସଂସ୍କୃତ ଭାଷା ଓ ତାର ସଂସ୍କୃତି । ଏଠାରେ ରାତି ପାହିଲେ ଋଷି କଣ୍ଠରୁ ଉଦ୍ଗତ ହେଉଥିଲା “ସର୍ବେ ଭବନ୍ତୁ ସୁଖୀନଃ ସର୍ବେସନ୍ତୁ ନିରାମୟା”ର ବାଣୀ । ଏହାର ମହୋଦଧି କୂଳକୁ ଯିଏବି ଗଲେ ନିର୍ବିକାରରେ ସିଏ ଧୋଇଦିଏ ତାର ପାଦ । ଯେକୌଣସି ବସ୍ତୁଟିଏ ପକାଇଦେଲେ ଗର୍ଭକୁ ତାର ନିମିଷକେ ସିଏ ତାହାକୁ ହିଁ ଫେରାଇଦିଏ । ଜ୍ୟେଷ୍ଠ ତଥା ଗୁରୁସ୍ଥାନୀୟ ବ୍ୟକ୍ତିଙ୍କୁ, ପାଦ ଛୁଇଁ ମୁଣ୍ଡିଆ ମାରିବାର ପରମ୍ପରା କେବଳ ମୋର ଭାରତବର୍ଷରେ ଅଛି । ଯେକୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇ “ଅସତୋ ମାଂ ସଦ୍ଗମୟ, ତମସୋ ମାଂ ଜ୍ୟୋର୍ତିଗମୟ, ମୃତ୍ୟୋର୍ମା ଅମୃତଂଗମୟ”ର ଶ୍ଳୋକ ବୋଲାଯିବାର ସଂସ୍କୃତି ଆଉ କେଉଁଠାରେ ନାହିଁ । ଏହାର ମୁନି ଋଷିମାନେ ଗାୟନ କରନ୍ତି ମଧୁବାତା ଋତାୟତେ,… ମଧୁକ୍ଷରନ୍ତି ସିନ୍ଧବଃ ।
ଆଜି ଆମେ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନ ହୋଇପାରିନେ! ପାଶ୍ଚାତ୍ୟ, ସଭ୍ୟତା, ସଂସ୍କୃତି ପରମ୍ପରା ଆମ ଦେଶକୁ ବହୁ ପରିମାଣରେ ପ୍ରଭାବିତ କରିଚାଲିଛି । ଯେପର୍ଯ୍ୟନ୍ତ ଆମେ ଆମ ମାତୃଭୂମି, ଆମ ମାତୃଭାଷା, ଆମ ସଂସ୍କୃତି ଓ ପରମ୍ପରାକୁ ନିବିଡ଼ ଭାବରେ ଭଲ ନ ପାଇଛେ, ସେ ପର୍ଯ୍ୟନ୍ତ ଏ ସ୍ୱାଧୀନତା ଦିବସ ନାମକ ପର୍ବଟି ଏକ ଲୋକଦେଖାଣିଆ କଥା ବା ପ୍ରହସନ ହୋଇ ରହିଯିବ !!! ଆମ ଭିତରେ ମାଟି ମାଆ ପାଇଁ ପ୍ରଚଣ୍ଡ ଭଲ ପାଇବା ଜାଗ୍ରତ ହେଉ, ଭାଷା ପାଇଁ ଶ୍ରଦ୍ଧା ବଢ଼ୁ ଏବଂ ମୋ ଦେଶର ଶହୀଦ୍ ତଥା ସୈନ୍ୟ ବିଭାଗର ବୀର ସୈନିକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ମାନ ରହୁ, ଏହା ହିଁ ଆଜି ଦିବସର ସଙ୍କଳ୍ପ ହେବା ଉଚିତ ।