ଭଞ୍ଜନଗର : ଦୀର୍ଘ ୧୪ ଘଣ୍ଟା ଧରି ଘରେ ପଡିରହିଲା ଶବ । ପୁଲିସର ହସ୍ତକ୍ଷେପ ପରେ ଶେଷରେ ହେଲା ଶବ ଦାହ । ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ସହାୟତାରେ ବିଳମ୍ବିତ ରାତିରେ ଗାଆଁ ମଶାଣୀରେ ହେଲା ଶବ ସକ୍ରାର । ଶବ ଘରେ ପଡିରହିଥିବାବେଳେ ମାଆର ବୁକୁ ଫଟା କ୍ରନ୍ଦନ ଗଗନ ପବନକୁ ଥରାଇ ଦେଉଥିଲା । ଘରେ ଶବ ନିକଟରେ ବୁଢୀ ମାଆର ବିକଳ କ୍ରନ୍ଦନ ଧ୍ୱନୀ ଅନୁରଣିତ କରୁଥିଲା ସବୁଠି । ହେଲେ ନିଷ୍ଠୁର ମଣିଷ କେହି ଜଣେବି ଶବର ପାଖ ମାଡିନଥିଲେ । କାରଣ ହେଲା ମୃତ ଅବିବାହିତା ଯୁବତୀଙ୍କ ମାଆ ନିକଟରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଉ ବାପା କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେହିଦିନହିଁ ତାଙ୍କୁ ଭଞ୍ଜନଗର କୋଭିଡ କେର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ଝିଅର ନେଗେଟିଭ୍ ବାହାରିଥିବା ପୁଲିସ ସୂଚନା ଦେଇଛି । ତେବେ ପଜିଟିଭ୍ ବାପା କୋଭିଡ କେର ସେଣ୍ଟରକୁ ଯିବାର ମାତ୍ର ୧୨ ଘଣ୍ଟା ପରେ ଝିଅର ଅସ୍ୱଭାବିକ ମୃତ୍ୟୁ ଘଟିଥିଲା । ଆଉ ଏହାକୁ ନେଇ ଗ୍ରାମରେ ଦେଖାଦେଇଥିଲା ଅସ୍ୱଭାବିକ ପରିସ୍ଥିତି ।
ଏଭଳି ଏକ ଦୁଃଖଦ ଘଟଣା ଭଞ୍ଜନଗର ବ୍ଲକର ଗୋଲାପଡା ଗ୍ରାମରେ ଦେଖିବାକୁ ମିଳିଥିଲା । ଗତ କିଛି ଦିନ ତଳେ ଗୋଲାପଡା ଗ୍ରାମରେ ପ୍ରଥମ କରୋନା ଭୁତାଣୁ ସଂକ୍ରମିତ ମହିଳା ଚିହ୍ନଟ ହୋଇଥିଲେ । ମହିଳାଙ୍କୁ ଘରୁ ନେଇ ଭଞ୍ଜନଗର କୋଭିଡ କେର ସେଣ୍ଟରରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ପରେ ମହିଳା ଜଣକ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମହିଳାଙ୍କ ସୁସ୍ଥ ହୋଇ ଘରକୁ ଫେରିବାପରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ଏଥିରେ ସେ ପଜିଟିଭ୍ ବାହାରିଥିଲେ । ହେଲେ ଘରେ ଥିବା ଅବିବାହିତା ଝିଅର ସ୍ୱାବଟେଷ୍ଟରେ ନେଗେଟିଭ୍ ଆସିଥିଲା । ପଜିଟିଭ୍ ଆସିଥିବା ବୁଢା ବାପକୁ ଭଞ୍ଜନଗର କୋଭିଡ କେର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ଆଉ ବାପାକୁ ନେବାର ମାତ୍ର ୧୨ ଘଣ୍ଟା ପରେ ଘରେ ଝିଅର ମୃତ୍ୟୁ ଘଟିଥିଲା ।
କେଉଁ କାରଣରୁ ଝିଅର ମୃତ୍ୟୁ ଘଟିଲା ତାହା କେହି ଜାଣିନଥିବାବେଳେ ଗୋଟିଏ ପରିବାରର ବାପା ମାଆ ପଜଟିଭ୍ ବାହାରିଥିବାରୁ ଝିଅର ଶବକୁ ଛୁଇଁବାକୁ କେହି ସାହାସ କରିନଥିଲେ । ଆଉ ଘରେ ମଧାହ୍ନରୁ ଶବ ପଡିରହିବାପରେ ଶେଷରେ ୧୪ ଘଣ୍ଟା ଶୁକ୍ରବାର ବିଳମ୍ବିତ ରାତିରେ ଭଞ୍ଜନଗର ପୁଲିସ ଗୋଲାପଡାରେ ପହଞ୍ଚି ଶବକୁ ଉଠାଇବାକୁ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଝିଅର ସ୍ୱାବ ଟେଷ୍ଟ ନେଗେଟିଭ୍ ରହିଥିବାରୁ ତାଙ୍କୁ ଦାହ ସକ୍ରାର କରିବାରେ କିଛି ଅସୁବିଧା ନାହିଁ ବୋଲି ପୁଲିସର ବୁଝାଶୁଝା ପରେ ଶେଷରେ କିଛି ଭଦ୍ରବ୍ୟକ୍ତି ଏଥିରେ ରାଜି ହୋଇଥିଲେ । ଆଉ ବିଳମ୍ବିତ ରାତିରେ ପାଖାପାଖି ୨ଟାରେ ଘରୁ ଶବ ଉଠିଥିଲା । ଶେଷରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ସାରା ଇଲାକାରେ ଚହଳ ସୃଷ୍ଟି କରିଛି ।