“ଅପରେସନ ସିନ୍ଦୁର” ର ସଫଳତା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ
ମାଷ୍ଟର କ୍ୟାଂଟିନ ଛକରୁ ସତ୍ୟନଗର କାଳିମନ୍ଦିର ଛକ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଶୋଭାଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଜାତୀୟ ପତାକା ଧରି ହେଲେ ସାମିଲ
ଭୁବନେଶ୍ୱର(Suvendra Pattanaik) : ଗତ ଏପ୍ରିଲ ୨୨ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପହଲଗାମଠାରେ ଆତଙ୍କବାଦୀଙ୍କ ଅମାନୁଷିକ ଓ ବର୍ବରୋଚିତ ନରସଂହାରର “ଅପରେସନ ସିନ୍ଦୁର” ଜରିଆରେ ଦୃଢ ଜବା୍ବ ଦେଇଛି ଭାରତୀୟ ସେନା । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଆତଙ୍କବାଦ ବିରୁଦ୍ଧରେ ଗତ ମେ ୭ ତାରିଖ ଦିନ “ଅପରେସନ ସିନ୍ଦୁର” ଆରମ୍ଭ ହୋଇଥିଲା । ଭାରତୀୟ ସେନାବାହିନୀର ଅଦ୍ଭୁତପୂର୍ବ ସାହସ ଓ ପରାକାଷ୍ଠା ଯୋଗୁଁ ପାକିସ୍ଥାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହିତ ବହୁ ଆତଙ୍କବାଦୀ ମୃତାହତ ହୋଇଛନ୍ତି । ଦେଶର ସୁରକ୍ଷା, ସାର୍ବଭୈାମତା ରକ୍ଷା ପାଇଁ ଆତଙ୍କବାଦୀ ବିରୋଧୀ ଲଢେଇରେ ଆମ ଯବାନମାନଙ୍କ ଶୈାର୍ଯ୍ୟ, ପରାକ୍ରମ ଓ ବୀରତ୍ୱ ପାଇଁ ସାରା ଦେଶ ଆଜି ଗର୍ବିତ । ନିଜ ସର୍ବୋଚ୍ଚ ବଳିଦାନର ବାଜି ଲଗାଇ ଦେଶର ସମ୍ମାନ ଓ ସ୍ୱାଭୀମାନ ପାଇଁ ଲଢୁଥିବା ଆମ ଭାରତୀୟ ସେନା ଉଦ୍ଦେଶ୍ୟରେ ଆଜି “ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକରୁ ଆରମ୍ଭ ହୋଇ ସତ୍ୟନଗର କାଳିମନ୍ଦିର ଛକ ପର୍ଯ୍ୟନ୍ତ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆତଙ୍କବାଦ ବିରୋଧୀ ଲଢେଇରେ ଭାରତୀୟ ସେନା ଯବାନଙ୍କ ମନୋବଳକୁ ଆହୁରି ସୁଦୃଢ କରିବା ଏବଂ ରାଷ୍ଟ୍ର ହିତ ପାଇଁ ଏକାଠି ହୋଇ ଜାତୀୟତାର ପ୍ରମାଣ ସ୍ୱରୁପ ଆଜି ଅନୁଷ୍ଠିତ ଏହି “ପରାକ୍ରମ ଶୋଭାଯାତ୍ରା”ରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ବରିଷ୍ଠ ନାଗରିକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଜାତୀୟ ପତାକା ଧରି ସାମିଲ ହୋଇଥିଲେ ।
ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ ଆୟୋଜିତ “ପରାକ୍ରମ ଶୋଭାଯାତ୍ରା”ରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ଡା.ଯତୀନ ମହାନ୍ତି, ଅବସରପ୍ରାପ୍ତ ସେନାଧିକାରୀ କର୍ଣ୍ଣେଲ ବି.କେ.ବସ୍ତିଆ, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ଅରବିନ୍ଦ ଢାଲି, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ରାଜେନ୍ଦ୍ର ପଣ୍ଡା, ମହେଶ ମହାନ୍ତି, ବିଷ୍ଣୁ ଦାଶ ପ୍ରମୁଖଙ୍କ ସମେତ ଶତାଧିକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।