ତିହିଡି, ୦୩/୦୯ (ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ସଦର ବଜାରସ୍ଥିତ ଏସବିଆଇ ବ୍ୟାଙ୍କର ଏକସଂଗେ ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସରକାରୀ ରିପୋର୍ଟ ପ୍ରକାଶ ପାଇବା ପରେ ଗୁରୁବାର ମଧ୍ୟାହ୍ନରେ ବ୍ୟାଙ୍କକୁ ବନ୍ଦ କରାଯାଇଛି ଏବଂ ଆସନ୍ତା ଶୁକ୍ରବାର ଓ ଶନିବାର ବନ୍ଦ ରହିବ ବୋଲି ଶାଖା ପରଚାଳକଙ୍କ ସୂତ୍ରରୁ ସୂଚନା ମିଳିଛି । ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଦୈନିକ ଶହଶହ ଗ୍ରାହକ ବ୍ୟାଙ୍କକୁ ଆସି କାରବାର କରିଥାନ୍ତି । ଯେଉଁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସହିତ ଗ୍ରାହକମାନେ ସିଧାସଳଖ ମିଶିଥିବା ବେଶ ଅନୁମେୟ । ଏହି ପ୍ରସଙ୍ଗରେ ଗ୍ରାହକମାନେ କରୋନା ପରୀକ୍ଷା କରିବା ଜରୁରୀ ହୋଇପଡିଛି । ଏହା ନହେଲେ ଘରେ ଘରେ କରୋନା ଆକ୍ରାନ୍ତ ହେବାର ସମ୍ଭାବନାକୁ ଏଡେଇ ଦିଆଯାଇନପାରେ ।
ବିଗତ କିଛି ଦିନ ହେଲା ଏହି ବ୍ୟାଙ୍କରେ ଅହେତୁକ ଭିଡ ରହିଆସୁଅଛି । ରାସ୍ତାରୁ ବ୍ୟାଙ୍କର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଲମ୍ବା ଧାଡି ଲାଗିଥାଏ । ସେମାନଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଉଥିଲେ ମଧ୍ୟ ଅମାନିଆ ଗ୍ରାହକ ମାନିବାକୁ ନାରାଜ । ଯାହାର ଫଳ ଆଜି ସମସ୍ତଙ୍କୁ ଭୋଗିବାକୁ ପଡିବ ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ସାଜିଛି । କରୋନା କଟକଣା କୋହଳ ହେବାପରେ ଲୋକେ ବେପରୁଆ ହୋଇଯାଇଥିବା ବେଳେ ଏଭଳି ସମସ୍ୟା ପରିଲକ୍ଷିତ ହେଲାଣି ଏବଂ ଆଗକୁ ଏହାର ରୁପରେଖ ଉଗ୍ରରୁପ ନେବ ବୋଲି ଆଶା କରାଯାଉଛି । ଶୁକ୍ରବାର ତିହିଡି କୋଭିଡ୍ କେୟାରରେ ହୋଇଥିବା କରୋନା ପରୀକ୍ଷାରେ ଏହି ବ୍ୟାଙ୍କର ୫ ଜଣ କର୍ମ·ରୀଙ୍କ ସମେତ ଭାଟପଡା ପଞ୍ଚାୟତର ୨ ଜଣ ଓ ଅନ୍ୟ ଅଞ୍ଚଳରରୁ ୯ ଜଣ କୋରନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
