Odisha news

କରୋନାରେ ଆରୋଗ୍ୟ ହେଲେଣି ଦେଶରେ ୪୦%, ଭାରତରେ କରୋନାର ନୂଆ ରେକର୍ଡ

0

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌-୪ ଜାରି ରହିଥିବା ସତ୍ତ୍ବେ ଦିନକୁ ଦିନ ଦେଶରେ ସଂକ୍ରମଣର ନୂଆ ରେକର୍ଡ ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୬୦୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ସର୍ବାଧିକ ମାମଲା ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତବାକ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାରରୁ ଅଧିକ ରହିଛି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ମଧ୍ୟ ୩୫୯୦ରେ ପହଞ୍ଚିଯାଇଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଉତ୍ତରପ୍ରଦେଶ ଏବଂ ବିହାରରେ ସଂକ୍ରମଣ ଅଚାନକ ବଢ଼ିବାରେ ଲାଗିଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ଉତ୍ତରପ୍ରଦେଶର ଅର୍ଦ୍ଧାଧିକ ଜିଲ୍ଲାରେ ସଙ୍କଟ ବଢ଼ିଯାଇଛି। ବିହାରରେ ମଧ୍ୟ ପ୍ରବାସୀଙ୍କ ଆଗମନ ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଛି।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୭୦୦ରେ ପହଞ୍ଚିଥିବା ବେଳେ ତାମିଲନାଡ଼ୁରେ ପ୍ରାୟ ୧୪ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛି। ଉଭୟ ରାଜ୍ୟ ସରକାର ଯୁଦ୍ଧସ୍ତରରେ କରୋନା ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉ‌ଦ୍‌ବେଗଜନକ ଭାବେ ବଢ଼ୁଛି ଏବଂ ଏହା ୧୩ ହଜାର ଛୁଇଁବାକୁ ଯାଉଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଥିବାରୁ ଆଗକୁ ଅଧିକ କଟକଣା ପାଇଁ ଚିନ୍ତା କରାଯାଉଛି। ଏବେ ଲକ୍‌ଡାଉନ୍‌ ୪ରେ ଅନେକ କିଛି କୋହଳ କରାଯାଇଥିବାରୁ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଆଶ୍ବାସନାର ବିଷୟ, ଦେଶରେ ୪୦ ପ୍ରତିଶତରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ୪୮ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବାରୁ ଆଗକୁ ଆରୋଗ୍ୟ ହାର ବଢ଼ିବ ବୋଲି ଆଶା ରହିଛି। ଏବେ ଦେଶରେ ଆକ୍ରାନ୍ତ ମାମଲା ଦୁଇ ଗୁଣ ହେବା ସମୟ ୧୩.୩ ଦିନକୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୩.୧୩ରୁ ୩.୨କୁ ଖସିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

Nalco
Leave A Reply