Odisha news

୨୪ଘଣ୍ଟାରେ ୧୫୫୩ ନୂଆ ଆକ୍ରାନ୍ତ, ‌ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲା ଗୁଜରାଟ, ୟୁପି, ମହାରାଷ୍ଟ୍ରରେ ମାମଲା ବଢ଼ିଚାଲିଛି, ଭାରତର ୮୦% ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ନାହିଁ

0

ନୂଆଦିଲ୍ଲୀ: ଭାରତରେ ଆଜି କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଯାଇଛି। ଦେଶରେ କରୋନା ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୫୯ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୬୫୫ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୫୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ବିଭିନ୍ନ ହସ୍ପିଟାଲରେ ଏବେ ୧୪,୨୫୫ ସକ୍ରିୟ ‌ରୋଗୀଙ୍କ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଆଜି ସୁଦ୍ଧା ୨୮୪୨ ଲୋକ ସଂକ୍ରମଣମୁକ୍ତ ହୋଇଥିବା ଜଣାପଡ଼ିଛି ।

ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ଏବେ ଦ୍ରୁତ ସଂକ୍ରମଣ ହେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଯେଉଁ ୧୫୦୦ରୁ ଅଧିକ ମାମଲା ଆସିଛି ସେଥରୁ ପ୍ରାୟ ୭୦ ପ୍ରତିଶତ ଏହି ୫ ରାଜ୍ୟର ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ ୩୬୫୧, ଦିଲ୍ଲୀରେ ୧୮୯୩, ମଧ୍ୟପ୍ରଦେଶରେ ୧୪୦୭, ରାଜସ୍ଥାନରେ ୧୩୫୧, ତାମିଲନାଡ଼ୁରେ ୧୩୭୨ ମାମଲା ରହିଛି। ଉତ୍ତରପ୍ରଦେଶରେ ୯୬୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ ୨୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୭୦, ଗୁଜରାଟରେ ୫୩, ଦିଲ୍ଲୀରେ ୪୨, ତେଲେଙ୍ଗାନାରେ ୧୮, ତାମିଲନାଡ଼ୁରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୨୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୫୭ଟି ଦିଲ୍ଲାରେ ବିଗତ ୧୪ ଦିନ ମଧ୍ୟରେ କରୋନା ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ। ବିଗତ ୨୮ ଦିନ ମଧ୍ୟରେ ପଣ୍ଡିଚେରୀ ଏବଂ କର୍ଣ୍ଣାଟକର କୋଡ଼ାଗୁରେ ଗୋଟିଏ ବି ନୂଆ ମାମଲା ନାହିଁ। ଗତକାଲି ଗୋଆ ସଂପୂର୍ଣ୍ଣ କରୋନା ମୁକ୍ତ ହେବାରେ ଦେଶରେ ପ୍ରଥମ ରାଜ୍ୟ ପାଲଟିଥିବା ବେଳେ ମଣିପୁର ମଧ୍ୟ ଆଜି ସଂପୂର୍ଣ୍ଣ କରୋନା ମୁକ୍ତ ଘୋଷଣା ହୋଇଛି। ମଣିପୁରରେ ଯେଉଁ ୨ ଜଣ ରୋଗୀ ମିଳିଥିଲେ, ସେମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଗୁଜରାଟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଶହ ଅତିକ୍ରମ କରିଯାଇଛି। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୮ ନୂଆ ମାମଲା ଆସିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ସହରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଉତ୍ତରପ୍ରଦେଶର ଦେବବନ୍ଦ ଏବେ ରାଜ୍ୟର ନୂଆ କରୋନା ହଟ୍‌ସ୍ପଟ ପାଲଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ୮୦% ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ନାହିଁ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ହଜାର ଅତିକ୍ରମ କରିଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) କରୋନା ମୁକାବିଲା ପାଇଁ ଯୁଦ୍ଧସ୍ତରରେ ବିଭିନ୍ନ ପ୍ରୟାସ ଚଳାଇଛି। ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ ରମନ ଗଂଗାଖେଡକର ଗଣମାଧ୍ୟମକୁ କହିଛନ୍ତି ଯେ ଦେଶରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଏହା ଆମ ପାଇଁ ଚିନ୍ତା ଓ ଉଦ୍‌ବେଗର ବିଷୟ ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣକୁ ରୋକିବା ସମ୍ଭବ ହୋଇଛି ଏବଂ ଏହାର ସୁଫଳ ଦେଶକୁ ମିଳୁଛି ବୋଲି ସେ କହିଛନ୍ତି। ଭାରତରେ ସବୁ ଲୋକଙ୍କ କରୋନା ଟେଷ୍ଟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Nalco
Leave A Reply