ୱେଷ୍ଟବେଙ୍ଗଲ ଇଲେକ୍ସନ :ପଶ୍ଚିମବଙ୍ଗର ନନ୍ଦିଗ୍ରାମ ମତଦାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଣିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ , ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ
କୋଲକାତା : ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୬ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟ୍ରେ ପଶ୍ଚିମବଙ୍ଗର ୩୧ଟି ଆସନ ଥିବା ବେଳେ କେରଳ ଏବଂ ତାମିଲନାଡ଼ୁର ସମସ୍ତ ଆସନ ରହିଛି। ତୃତୀୟ ପର୍ଯ୍ୟାୟରେ ଆସାମରେ ମଧ୍ୟ ମତଦାନ ପ୍ରକ୍ରିୟା ସଂପୂର୍ଣ୍ଣ ହେବ। ଗତ ସପ୍ତାହରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଅନ୍ତର୍ଗତ ଏକ ଭୋଟଗ୍ରହଣ କେନ୍ଦ୍ରରେ ମତଦାନରେ ଅନିୟମିତତାକୁ ପ୍ରଶ୍ରୟ ଦିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଣିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।
ଅପରପକ୍ଷେ, ଉକ୍ତ ମତଦାନ କେନ୍ଦ୍ରରେ ମମତାଙ୍କ ଉପସ୍ଥିତିର ତର୍ଜମା କରାଯିବ ବୋଲି ଆୟୋଗ ସତର୍କ କରାଇ ଦେଇଛନ୍ତି। ଏ ସଂକ୍ରାନ୍ତରେ ମମତା ଦେଇଥିବା ହାତଲେଖା ଅଭିଯୋଗପତ୍ରରେ ତଥ୍ୟଗତ ତ୍ରୁଟି ରହିବା ସହ ପ୍ରମାଣର ଅଭାବ ରହିଛି ବୋଲି ଆୟୋଗ କହିଛନ୍ତି। ସେହିପରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଆଧାରରେ ମମତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆୟୋଗ ବିଚାର କରୁଥିବା କହିଛନ୍ତି। ମତଦାନ ଚାଲିଥିଲା ବେଳେ ଜେଡ୍ ପ୍ଲସ୍ ସୁରକ୍ଷା ଉପଭୋଗ କରୁଥିବା ମମତା ଉକ୍ତ ବୁଥ୍ ଭିତରେ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ଭିତରେ ଲାଗିଥିବା ଟଣାଓଟରାରେ ସାମିଲ ଥିବା ଜଣାପଡ଼ିଥିଲା। ଏପରିକି ସେଠାରେ ଏକ କୋଠରି ଭିତରେ ସେ ଦୀର୍ଘ ଦୁଇ ଘଣ୍ଟା କାଳ ଅଟକ ଥିଲା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରିଥିଲେ।

Comments are closed.