ଭୁବନେଶ୍ୱର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ । ଆଜି ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଇଚ୍ଛା ବ୍ୟକ୍ତ କରିଛନ୍ତି । ଆଜି ସକାଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ବାସ ଭବନରେ ସୋ÷÷ଜନ୍ୟମୂଳକ ସାକ୍ଷାତ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ମନ୍ତ୍ରୀଙ୍କୁ ତାଙ୍କର ଏହି ଇଚ୍ଛା ଜଣାଇଥିଲେ ।
ପ୍ରକାଶ ଥାଉକି, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡାଠାରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସତ୍ୟାଗ୍ରହ ଆନେ୍ଦାଳନରେ ଯୋଗଦାନ କରିଥିଲେ ।
ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ ସେ କାର୍ଯ୍ୟ କରିଛନ୍ତି ଏବଂ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ଲୋକସଭା ବା ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରିଛନ୍ତି ।
ମାନବ ସମାଜର କଲ୍ୟାଣ ଉଦେ୍ଦଶ୍ୟରେ, ତାଙ୍କର ଦେହାନ୍ତ ପରେ ଶରୀର ଦାନ କରିବାକୁ ଆଜି ତାଙ୍କର ଜନ୍ମ ଦିବସ ଅବସରରେ ନିଷ୍ପତ୍ତି ତାଙ୍କର ନିଃସ୍ୱାର୍ଥପର ମାନବୀୟ ମୂଲ୍ୟବୋଧର ପରିଚାୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ ଏହି ଅବସରରେ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକଙ୍କର ଏହି ନିଷ୍ପତ୍ତି ସମୟରେ ନିମାପଡା ଶହୀଦ ସଂସଦର ସଂପାଦକ ଶ୍ରୀ ବେଣୁଧର ସେନାପତି ମଧ୍ୟ ଉପସ୍ଥିତ ଥିଲେ ।