Odisha news

ଉତ୍ତର ପ୍ରଦେଶର ହାଥରସ୍‌ ଗଣଦୁଷ୍କର୍ମ ଘଟଣା : ଯୋଗୀ ସରକାରର ଭୂମିକାକୁ ନେଇ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ

0

ନୂଆଦିଲ୍ଲୀ : ଯୋଗୀ ସରକାରର ଅମାନବୀୟ ଆଚରଣ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ ଏବଂ କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଂଜନ ଜ୍ୟୋତି। ଉମା ଏକ ବିବୃତି ଦେଇ କହିଛନ୍ତି ଯେ ପୀଡ଼ିତା ପରିବାର ପ୍ରତି ଏଭଳି ବ୍ୟବହାର ଠିକ୍ ହୋଇନାହିଁ। ସଂପୃକ୍ତ ପରିବାରକୁ ଭେଟିବା ଲାଗି ରାଜନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆଯାଉ ବୋଲି ‌ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ରାତି ଅଧର‌‌େ ପରିବାରର ବିରୋଧ ସତ୍ତ୍ବେ ପୀଡ଼ତାଙ୍କ ଶବକୁ ଯେପରି ପୋଲିସ ଅନ୍ତିମ ସଂସ୍କାର କଲା ତାହା ଗ୍ରହଣୀୟ ନୁହେଁ। ଉକ୍ତ ପରିବାରକୁ ନଭେଟିବା ଲାଗି ଗଣମାଧ୍ୟମ ଓ ନେତାଙ୍କ ଉପରେ କଟକଣା ଜାରି କରିବାକୁ ଯାଇ ‌ପୋଲିସ ସଂପୃକ୍ତ ଗାଁକୁ ସିଲ୍ କରିଦେଇଛି। ଏଭଳି କଟକଣାକୁ ତୁରନ୍ତ ହଟାଯାଉ। ଏହା ବିଜେପି ଓ ସରକାରର ଭାବମୂର୍ତିକୁ କ୍ଷୁଣ୍ଣ କରୁଛି।

ଉତ୍ତର ପ୍ରଦେଶର ହାଥରସ୍‌ ଗଣଦୁଷ୍କର୍ମ ଘଟଣାରେ ଯୋଗୀ ସରକାରର ଭୂମିକାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କେବଳ ବିରୋଧୀ ଏବଂ ମାନବାଧିକାର ସଂଗଠନ ନୁ‌ହେଁ, ନିଜ ଓ ସହଯୋଗୀ ଦଳର ନେତାମାନେ ମଧ୍ୟ ଯୋଗୀ ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ପରିବାରର ବିରୋଧ ସତ୍ତ୍ବେ ପୀଡ଼ିତାଙ୍କ ଶବକୁ ଯେପରି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଗଲା ତାହାକୁ କେହି ଗ୍ରହଣ କରିପାରୁ ନହାନ୍ତି। ରାତିରେ ପୀଡ଼ିତାଙ୍କ ପରିବାର ଉପରେ ସ୍ଥାନୀୟ ପୋଲିସ ଅକଥନୀୟ ଅତ୍ୟାଚାର କରିଛି। ରାତିରେ ଶେଷକୃତ୍ୟ ପାଇଁ ରାଜି ନହେବାରୁ ପରିବାର ସଭ୍ୟଙ୍କୁ ମାରପିଟ୍ କଲା ଏବଂ ଘରେ ପୂରାଇ ଗେଟ‌ରେ ତାଲା ପକାଇ‌‌ଦେଲା। କେବଳ ଏତିକି ନୁହେଁ, ସେମାନଙ୍କ ଠାରୁ ମୋବାଇଲ ମଧ୍ୟ ଛଡ଼ାଇ ଆଣିଛି। ଗତକାଲି ଠାରୁ ଯୋଗୀ ପ୍ରଶାସନ ଆଉ ଗୋଟିଏ ପାଦ ଆଗକୁ ଯାଇ ନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉକ୍ତ ଗ୍ରାମରେ ପ୍ରବେଶ କରିବା ଉପରେ କଟକଣା ଲଗାଇ ଦେଇଛି। ଏହାର ବିରୋଧ କରି ଆଜି ସଂପୃକ୍ତ ଗ୍ରାମ ନିକଟରେ ଗଣମାଧ୍ୟମ ପ୍ରତିନିଧି ଧାରଣା ଦେଇଥିବା ବେଳେ ଦିଲ୍ଲୀ ଯନ୍ତରମନ୍ତରରେ ମଧ୍ୟ ଆଜି ସନ୍ଧ୍ୟାରେ ପ୍ରତିବାଦ ସମାବେଶ ହୋଇଛି।

ରାମ ମନ୍ଦିର ପାଇଁ ଶିଳାନ୍ୟାସ କରିବା ପରେ ରାମରାଜ୍ୟ ପାଇଁ ଦେଶବାସୀ ସ୍ବପ୍ନ ଦେଖୁଥିବା ବ‌େଳେ ଯୋଗୀ ସରକାରଙ୍କ ଏଭଳି ଆଚରଣ ନେଇ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ସୁସ୍ଥ ହେବାପରେ ସେ ସିଧା ହାଥରସ ଯାଇ ପୀଡ଼ିତାଙ୍କ ପରିବାକୁ ଭେଟିବେ। ସେହିଭଳି ଦଳର ଅନ୍ୟତମ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସାଧ୍ବୀ ନିରଂଜନ ମଧ୍ୟ ଯୋଗୀ ସରକ‌ାରକୁ ଘେରିଛନ୍ତି। ସେ କହିଛନ୍ତି ଯେ ପରିବାକୁ ନିର୍ଯାତନା ଦେଇ ପୀଡ଼ିତାର ଶବକୁ ରାତି ଅଧରେ ସତ୍କାର କରାଯିବାକୁ ଗ୍ରହଣ କରି ହେଉନାହିଁ। ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ଉଚିତ ଥିଲା।

ଇତିମଧ୍ୟରେ ଘଟଣାସ୍ଥଳରୁ ମିଳିଥିବା ରିପୋର୍ଟ ଅନୁଯାୟୀ ପୋଲିସ ପକ୍ଷରୁ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ସେମାନଙ୍କୁ ଘରୁ ବାହାରିବାକୁ ଦିଆଯାଉନି କି ଗଣମାଧ୍ୟମରେ ମଧ୍ୟ କିଛି କହିବାକୁ ଦିଆଯାଉନି। ସେମାନଙ୍କ ମୋବାଇଲ୍‌ ଫୋନ୍‌ ସିଜ୍‌ କରାଯାଇଛି। ଆଜି ସକାଳେ ପୀଡ଼ିତା ପରିବାରର ଜଣେ ନାବାଳକ ଗଣମାଧ୍ୟମ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ଗଣମାଧ୍ୟମରେ ନିଜ ବିବୃତି ରଖି ସେ କହିଛନ୍ତି, ପୁଲିସ ସେମାନଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ରଖିବା ପଇଁ କହିଛି। କିଛି ମୋବାଇଲ୍‌ ମଧ୍ୟ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଧମକ ଦିଆଯାଉଥିବା ସେ କହିଛନ୍ତି।

ତେବେ ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏସ୍‌ଆଇଟି ତଦନ୍ତ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ହାଥରସକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ନାହିଁ ବୋଲି ଏସ୍‌ପି ପ୍ରକାଶ କୁମାର କହିଛନ୍ତି। ହାଥରସ୍‌ରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି। ଗତକାଲିଠାରୁ ପୀଡ଼ିତାଙ୍କ ଗାଁକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ କରାଇ ଦିଆଯାଉନାହିଁ।

ଉଲ୍ଲେଖ୍ୟଯୋଗ୍ୟ ଯେ ସେପ୍ଟେମ୍ବର ୧୪ ତାରିଖରେ ହାଥରାସର ଜଣେ ଦଳିତ ଯୁବତୀଙ୍କୁ ୪ ଜଣ ଉଚ୍ଚ ଜାତିର ବ୍ୟକ୍ତି ଗଣଦୁଷ୍କର୍ମ କରିବା ସହ ତାଙ୍କ ଜିଭ କାଟି ଦେଇଥିଲେ ଏବଂ ସେମାନଙ୍କ ମାଡ଼ରେ ପୀଡ଼ିତାଙ୍କ ମେରୁହାଡ଼ ତିନିଟି ଜାଗାରେ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ଯୁବତୀଙ୍କର ଗତ ୨୯ ତାରିଖରେ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ସରକାର ଏସ୍‌ଆଇଟି ଗଠନ କରିଛନ୍ତି ଏବଂ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

ଇତିମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ଦଳମାନେ ଏକଜୁଟ ହୋଇଛନ୍ତି। ପୁଲିସ ମାମଲାରେ ଯେଉଁଭଳି ଆଚରଣ ଦେଖାଇଛି ଏବଂ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କ ବିନା ପରାମର୍ଶରେ ରାତି ଅଧିଆ ଶବଦାହ କରିବା ବିଷୟକୁ ନେଇ ଉତ୍ତେଜନା ତୀବ୍ର ହୋଇଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି। କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି। ବିଏସ୍‌ପି ସୁପ୍ରିମୋ ଏବଂ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାୟାବତୀ କହିଛନ୍ତି ଯେ ବିଜେପି ହାଇ କମାଣ୍ଡ୍‌ ଯୋଗୀ ଆଦିତ୍ୟନାଥଙ୍କୁ ତତ୍କାଳ ବହିଷ୍କାର କରିଦେବା ଉଚିତ୍‌ କିମ୍ବା କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଉଚିତ୍‌। ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍‌ ନାହିଁ। ଆଜି ଦିଲ୍ଲୀର ଯନ୍ତରମନ୍ତର ଠାରେ ମଧ୍ୟରେ ପ୍ରତିବାଦ ସମାବେଶ ‌ହୋଇଛି। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେଇ ହାଥରସ ଘଟଣାର ନିନ୍ଦା କରିବା ସହିତ ଯୋଗୀଙ୍କ ଇସ୍ତଫା ଦାବି କରିଛନ୍ତି। ଭିମ୍ ଆର୍ମିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କହିଛନ୍ତି ଯେ ଯୋଗୀ ଇସ୍ତଫା ନ‌ଦବୋ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

ଇତିମଧ୍ୟରେ ଏସଆିଟିର ପ୍ରାଥମିକ ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଏସପି, ଡିଏସପିଙ୍କ ସମେତ ୫ ପୋଲିସ ଅଧିକାରୀଙ୍କ ସସପେଣ୍ଡ କରିଛନ୍ତି। କେବଳ ଏତିନି ନୁହେଁ ଏହି ମାମଲାରେ ସଂପୃକ୍ତ ପୋଲିସ ଏବଂ ପୀଡ଼ିତାଙ୍କ ପରିବ‌ାର ସଭ୍ୟମାନଙ୍କର ମିଛଧରା ପରୀକ୍ଷା କରାଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।

Nalco
Leave A Reply