କୋଲକାତା: ଦେଶର ପ୍ରଥମ ମେଟ୍ରୋ ଟ୍ରେନ ସେବା ଆରମ୍ଭ କରି ରେକର୍ଡ ସୃଷ୍ଟି କରିଥିବା କୋଲକାତା ସହର ଆଜି ପୁଣି ଏକ ନୂଆ ରେକର୍ଡ କରିଛି | କୋଲକାତାରେ ଆଜି ପ୍ରଥମ ଥର ପାଇଁ ପାଣି ଭିତରେ ମେଟ୍ରୋ ଟ୍ରେନ ଗଡିଛି | କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏହି ସେବାର ଶୁଭାରମ୍ଭ କରିଛନ୍ତି | କୋଲକାତା ମେଟ୍ରୋ ରେଳ କର୍ପୋରେସନ ନିଜର ଇଷ୍ଟ-ୱେଷ୍ଟ କରିଡର ଅଧୀନରେ ଅଣ୍ଡରୱାଟର ବା ପାଣି ଭିତରେ ଟନେଲ ତିଆରି କରି ଏଭଳି ଏକ ସ୍ୱପ୍ନକୁ ବାସ୍ତବିକତାର ରୂପ ଦେଇଛି | କୋଲକାତାର ହୁଗୁଳୀ ନଦୀର ଗର୍ଭରେ ନିର୍ମାଣ କରାଯାଇଥିବା ଏହି ଟନେଲ କୋଲକାତାରୁ ହାଓଡ଼ାକୁ ସଂଯୋଗ କରିବ |

ତେବେ ପ୍ରାରମ୍ଭିକ ଅବସ୍ଥାରେ ଏହି ଟ୍ରେନ ଚଳାଇବା ପାଇଁ ଡ୍ରାଇଭର ରହିବେ କିନ୍ତୁ କିଛି ଦିନ ପରେ ଏହି ଟ୍ରେନରେ କୌଣସି ଡ୍ରାଇଭର ରହିବେ ନାହିଁ | ଏହି ମେଟ୍ରୋ ଟ୍ରେନ ପାଇଁ ନିର୍ମାଣ କରାଯାଇଥିବା ସୁଡ଼ଙ୍ଗ ପାଇଁ ଋଷ ଓ ଥାଇଲାଣ୍ଡ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଥିବାବେଳେ ଏହି ସୁଡ଼ଙ୍ଗରେ ଘଣ୍ଟା ପିଛା ୮୦ କିଲୋମିଟର ବେଗରେ ମେଟ୍ରୋ ଟ୍ରେନ ଦୌଡିବ |